ହୋମ୍ କ୍ବାରେଣ୍ଟାଇନ୍‌ରେ ଥିବା ପରିବାର ଉପରେ ନଜର ରଖିବେ ପଡୋଶୀ

Published: May 16, 2020, 8:48 am IST

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ହୋମ୍‌ କ୍ବାରେଣ୍ଟାଇନ୍‌ରେ ଥିବା ପରିବାର ଲୋକଙ୍କ ଉପରେ ନଜର ରଖିବେ ପଡୋଶୀ। ହୋମ୍‌ କ୍ବାରେଣ୍ଟାଇନ୍‌ ମନିଟରିଂ ପାଇଁ ଭୁବନେଶ୍ବର ମହାନଗର ନିଗମର ଏସ୍‌ଓପିରେ ଏହି ନିୟମ ରହିଛି । ପ୍ରବାସରୁ ଫେରି କିମ୍ବା ଅନ୍ୟ କୌଣସି କାରଣ ପାଇଁ କ୍ବାରେଣ୍ଟାଇନ୍‌ରେ ଥିବା ବ୍ୟକ୍ତିଙ୍କ ଘର ଆଗରେ ପ୍ରଶାସନ ପକ୍ଷରୁ ଷ୍ଟିକର ଲଗାଯିବ । ଷ୍ଟିକର୍‌ ଲଗାଇବାକୁ ଯାଇଥିବା କର୍ମଚାରୀ ପାଖ ପଡୋଶୀଙ୍କୁ କ୍ବାରେଣ୍ଟାଇନ୍‌ରେ ଥିବା ପରିବାରଙ୍କ ସମ୍ପର୍କରେ ଜଣାଇବା ସହ ସେମାନଙ୍କୁ ଏକ ନିର୍ଦ୍ଦିଷ୍ଟ ଲିଫଲେଟ୍‌ରେ ସେମାନଙ୍କ ତଥ୍ୟ ପ୍ରଦାନ କରିବେ ।

ଏହାସହିତ କ୍ବାରେଣ୍ଟାଇନ୍‌ ନିୟମ ଭାଙ୍ଗିଲେ 100 କିମ୍ବା 1299ରେ କଲ୍‌ କରିବାକୁ ପଡୋଶୀଙ୍କୁ ନିର୍ଦ୍ଦେଶ ରହିଛି। ଏ ସମ୍ପର୍କରେ ପଡୋଶୀ ସ୍ଥାନୀୟ ଓ୍ବାର୍ଡ ଅଧିକାରୀ କିମ୍ବା ଥାନାବାବୁଙ୍କୁ ଜଣାଇ ପାରିବେ। କ୍ବାରେଣ୍ଟାଇନରେ ଥିବା ବ୍ୟକ୍ତି ନିୟମ ଉଲ୍ଲଂଘନ କରି ଧରାପଡିଲେ ରେଡ୍‌ ନୋଟିସ୍‌ ଜାରି କରାଯିବ।  ପୁଣି ନିୟମ ଭାଙ୍ଗି ଧରାପଡିଲେ ସରକାରୀ କ୍ବାରେଣ୍ଟାଇନ୍‌ କେନ୍ଦ୍ରକୁ ପଠାଯିବ ଓ ମାମଲା ରୁଜୁ ହେବ । କ୍ବାରେଣ୍ଟାଇନ୍‌ରେ ଥିବା ପରିବାର ସହ ସର୍ଭେଲାନ୍ସ ଟିମ୍‌ ସଦସ୍ୟ ଯୋଗାଯୋଗରେ ରହିବେ ଏବଂ ଦରକାର ପଡିଲେ ଏହି ଟିମ୍‌ ସଦସ୍ୟ ମଧ୍ୟ ସେହି ପରିବାରକୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇଦେବ ।

Related posts