
ମୁମ୍ବାଇ : କରୋନା ଯୋଦ୍ଧା ରୂପେ କାର୍ଯ୍ୟ କରୁଥିବା ମୁମ୍ବାଇ ପୋଲିସ୍ କର୍ମଚାରୀ ମାନେ କରୋନାରେ ଶିକାର ହେଉଛନ୍ତି। କରୋନା କାଳରେ ସେମାନେ ସାଧାରଣ ଜନତାଙ୍କ ସେବା ପାଇଁ ନିଜ ଜୀବନକୁ ବାଜି ଲଗାଇଛନ୍ତି । କିନ୍ତୁ ସେମାନଙ୍କ ସୁରକ୍ଷାରେ ଏବେ ପ୍ରଶ୍ନ ଉଠିଛି । ମୁମ୍ବାଇଠାରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି । ଜଣେ ପୋଲିସ୍ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବାବେଳେ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିବାର ମାତ୍ର ଚାରିଘଣ୍ଟା ପରେ ପ୍ରାଣ ହରାଇଛନ୍ତି । ଯାହାକୁ ନେଇ ଚିନ୍ତା ପ୍ରକଟ କରାଯାଉଛି ।
ମିଳିଥିବା ସୂଚନା ଅନୁସାରେ 53 ବର୍ଷୀୟ ଜଣେ ପୋଲିସ୍ କନେଷ୍ଟବଳ ଦୀପକ ହୋତେ କରୋନାକୁ ମାତ୍ ଦେଇ ଘରେ ପହଞ୍ଚିଥିବାବେଳେ ମାତ୍ର ଚାରି ଘଣ୍ଟା ପରେ ତାଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ଦୀପକ ମୁମ୍ବାଇର ବାନ୍ଦ୍ରା ପୋଲିସ୍ ଥାନାରେ କାର୍ଯ୍ୟରତ ଥିଲେ । କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ 18 ତାରିଖରେ ଓ୍ବର୍ଲିସ୍ଥିତ ଏନଏସ୍ସିଆୟରେ ଭର୍ତ୍ତି କରାଯାଇଥିଲା । ମେ 29କୁ ତାଙ୍କୁ ଡିସଚାର୍ଜ କରାଯାଇଥିଲା । ଡିସଚାର୍ଜ ମିଳିବା ପରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଘରେ ପହଞ୍ଚିଥିଲେ। କିନ୍ତୁ ଓ୍ବର୍ଲି ଅଞ୍ଚଳଟି ସିଲ୍ ହେବା କାରଣରୁ ଆମ୍ବୁଲାନ୍ସ ତାଙ୍କୁ ଘରଠାରୁ ଏକ କିଲୋମିଟର ଦୂରରେ ଛାଡିଥିଲେ । କରୋନା ଯୋଗୁଁ ସେ ଦୁର୍ବଳ ହୋଇଥିବାବେଳେ ଚାଲି ଚାଲି ଘରେ ପହଞ୍ଚିବା ସମୟରେ ସେ ନିଃଶ୍ବାସ ନେବାରେ କଷ୍ଟ ଅନୁଭବ କରୁଥିଲେ । ପରେ ସେ ତାଙ୍କ ପୁଅଙ୍କବାଇକ୍ରେ ଘରେ ପହଞ୍ଚିଥିଲେ । ଘରେ ପହଞ୍ଚିବା ପରେ ତାଙ୍କୁ ତାଙ୍କ ଘର ତଥା କଲୋନୀ ଲୋକେ ସ୍ବାଗତ ଜଣାଇଥିଲେ । କିନ୍ତୁ ମାତ୍ର ଚାରି ଘଣ୍ଟା ପରେ ସେ ନିଃଶ୍ବାସ ନେବାରେ କଷ୍ଟ ଅନୁଭବ କଲେ । ତାଙ୍କୁ ଡାକ୍ତରଖାନା ନେବା ପାଇଁ ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲା । କିନ୍ତୁ ଆମ୍ବୁଲାନ୍ସ ପହଞ୍ଚିବା ପୂର୍ବରୁ ସେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ ।
ଦୀପକଙ୍କ ସ୍ତ୍ରୀ ଓ ଦୁଇପୁଅ ଝିଅ ରହିଛନ୍ତି । ଦୀପକଙ୍କ ପରିବାର ଲୋକେ କହିଛନ୍ତି ଯେ, କେବଳ ପଜିଟିଭ୍ଙ୍କ ଘର ସିଲ୍ କରିଦେଲେ ସବୁ କିଛି ଠିକ୍ ହେବ ନାହିଁ । ସେହିପରି ରୋଗୀଙ୍କୁ ଡିସଚାର୍ଜ କରିବା ପୂର୍ବରୁ ତାଙ୍କ ଚେକ୍ଅପ୍ ଭଲରେ କରିବା ଆବଶ୍ୟକ । ବିନା ଟେଷ୍ଟରେ ରୋଗୀଙ୍କୁ ଡିସଚାର୍ଜ କରିବା ବହୁ ବିପଦପୂର୍ଣ୍ଣ ହେଉଛି ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି ।
ଯଦି ସୁସ୍ଥ ହାର ବଢାଇବା ଲାଗି ରୋଗୀଙ୍କୁ ବିନା ଟେଷ୍ଟରେ ଘରକୁ ପଠାଯିବ, ତେବେ ଭାରତରେ କରୋନା ସ୍ଥିତି ବେଶ୍ ଭୟାନକ ସାବ୍ୟସ୍ତ ହେବ । ଦୀପକଙ୍କପରି ହଜାର ଲକ୍ଷ ଲକ୍ଷ ପୋଲିସ୍ କର୍ମୀ ନିଜ ଜୀବନକୁ ବାଜି ଲଗାଇ କରୋନା ମହାମାରୀ ସମୟରେ ଜନତାଙ୍କୁ ସେବା ଯୋଗାଉଛନ୍ତି । ସେମାନଙ୍କୁ ପିପିଇ କିଟ୍ ଦିଆଯାଉନାହିଁ । କୋଭିଡ୍ ଯୋଦ୍ଧାଙ୍କୁ ଉତ୍ତମ ସ୍ବାସ୍ଥ୍ୟବସ୍ଥା ଯୋଗାଇ ଦେବା ଆଜିର ସମୟରେ ବଡ ଆବଶ୍ୟକତା ରହିଛି । (ଏଜେନ୍ସି)