ଆଧାର କାର୍ଡ ବିନା କାଟି ପାରିବେ ନାହିଁ ଚୁଟି, ଏନେଇ ଜାରି ହେଲା ଆଦେଶ

Published: Jun 2, 2020, 11:09 am IST

ତାମିଲନାଡୁ : ଦେଶରେ କରୋନା ସଂକ୍ରମଣ ମାମଲା ଦ୍ରୁତ ଗତିରେ ବଢିବାରେ ଲାଗିଛି । ଏହା ମଧ୍ୟରେ ଲକ୍‌ଡାଉନ୍‌ କଟକଣାରେ ଅନେକ କୋହଳ କରାଯାଇଛି। ଜୁନ୍‌ 1ତାରିଖରୁ ତାମିଲନାଡୁରେ ସେଲୁନ୍‌ ଓ ପାର୍ଲର ଖୋଲିବାକୁ ଅନୁମତି ଦିଆଯାଇଛି। କିନ୍ତୁ ସେଠାରେ ଚୁଟି କାଟିବାକୁ ଆଧାର କାର୍ଡ ଦେଖାଇବାକୁ ବାଧ୍ୟତାମୂଳକ କରାଯାଇଛି। ତାମିଲନାଡୁ ସରକାର ଏନେଇ ସେଲୁନ୍‌ ପାଇଁ ଏସ୍‌ଓପି ଜାରି କରିଛନ୍ତି।

ତାମିଲନାଡୁ ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ଏସ୍‌ଓପି ଅନୁସାରେ ଯଦି ଆପଣ କେଶ କାଟିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଆଧାର କାର୍ଡ ଦେଖାଇବାକୁ ପଡିବ । ସେଲୁନ୍‌ ମାଲିକ ପ୍ରତ୍ୟେକ ଗ୍ରାହକଙ୍କ ନାମ, ଠିକଣା, ଫୋନ୍‌ ନମ୍ବର ଓ ଆଧାର କାର୍ଡ ନମ୍ବର ସଂଗ୍ରହ କରିବେ। ଯଦି ଏପରି କେହି ନ କରିବେ, ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଏତଦ୍‌ବ୍ୟତୀତ ଜାରି ହୋଇଥିବା ଏସ୍‌ଓପି ଅନୁସାରେ ସେଲୁନ୍‌ ମାନେ 50 ପ୍ରତିଶତ କର୍ମଚାରୀଙ୍କ ଦ୍ବାରା ସେଲୁନ୍‌ ଖୋଲିବେ। ଅତି ବେଶୀରେ 8 ଜଣ କର୍ମଚାରୀ ରହିପାରିବେ। ସମେସ୍ତ ମାସ୍କ ପିନ୍ଧିବା ସହିତ ହାତକୁ ସାନିଟାଇଜ୍‌ କରିବେ। ସେହିପରି ଆରୋଗ୍ୟ ସେତୁ ଆପ୍‌ର ଡିଟେଲ୍ସ ଦେଖାଇବେ। ସେହିପରି ସେଲୁନ୍‌ ମାଲିକ ମାନେ ଗ୍ରାହକଙ୍କୁ ଡିସ୍‌ପୋଜେବେଲ୍‌ ଏପ୍ରନ୍‌ ଓ ଜୋତା ପାଇଁ କଭର୍‌ ଦେବେ।

ସୂଚନାଯୋଗ୍ୟ, ତାମିଲନାଡୁ ସରକାର ପୂର୍ବରୁ ଗ୍ରାମୀଣ ଅଞ୍ଚଳରେ ସେଲୁନ୍‌ ଖୋଲିବାକୁ ଅନୁମତି ଦେଇଥିଲେ। ଏବେ କିନ୍ତୁ ପୂରା ପ୍ରଦେଶରେ ସେଲୁନ୍‌ ଓ ବ୍ୟୁଟି ପାର୍ଲର ଖୋଲାଯିବ। ତେବେ ସେଲୁନ୍‌ରେ ସାମାଜିକ ଦୂରତ୍ବ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯିବା ସହିତ ମାସ୍କ ପିନ୍ଧିବା ଓ ସଫା ସୁତୁରା ରଖିବାକୁ ଆଦେଶ ଦିଆଯାଇଛି।(ଏଜେନ୍ସି)

Related posts