ଖୋର୍ଦ୍ଧା : ଆଗାମୀ ରଜ ଉତ୍ସବକୁ ଆଖି ଆଗରେ ରଖି ଭିଡ ନିୟନ୍ତ୍ରଣ ତଥା ସାମାଜିକ ଦୂରତ୍ବକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ବରୁଣେଇ ଓ ଟାଙ୍ଗୀ ଉଗ୍ରତାରାଠାରେ 144 ଧାରା ଜାରି କରାଯାଇଛି । ଆସନ୍ତା 14ରୁ 20 ତାରିଖ ପର୍ଯ୍ୟନ୍ତ ଏହି ସମସ୍ତ ଅଞ୍ଚଳରେ 144 ଧାରା ଲାଗୁ କରିଛନ୍ତି ଖୋର୍ଦ୍ଧା ଉପଜିଲ୍ଲାପାଳ ।
ସେହିପରି ଖୋର୍ଦ୍ଧା ଉପଖଣ୍ଡରେ କରୋନା ସଂକ୍ରମିତ ହାର ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏଠାରେ ରହିଥିବା ସମସ୍ତ ଫାଷ୍ଟଫୁଡ୍, ଜଳଖିଆ, ଗୁପଚୁପ୍, ଚାଟ୍, ଦହିବରା, ଆଳୁଦମ୍ ଇତ୍ୟାଦି ବ୍ୟବସାୟୀମାନଙ୍କୁ କୋଭିଡ୍ -19 ଅନୁଯାୟୀ ମାସ୍କ ପିନ୍ଧ ଓ ସାମାଜିକ ଦୂରତା ରକ୍ଷା କେବଳ ପାର୍ସ ଜରିଆରେ ବ୍ୟବସାୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଖୋର୍ଦ୍ଧା ଉପଜିଲ୍ଲାପାଳ ।
ଦୋକାନ ନିକଟରେ ଗ୍ରାହକମାନେ ଠିଆ ହୋଇ ଖାଦ୍ୟ ଖାଇପାରିବେ ନାହିଁ ବୋଲି ନିୟମ କରାଯାଇଛି । ଯଦି ଏପରି କାର୍ଯ୍ୟ ଦୃଷ୍ଟିକୁ ଆସିଲା ତେବେ ଆଇନାନୁଯାୟୀ ସମ୍ପୃକ୍ତ ଦୋକାନୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଜରିମାନା ଆଦାୟ ହେବ ବୋଲି ନିର୍ଦ୍ଦେଶ ଜାରି କରାଯାଇଛି । ଅନ୍ୟାଦେଶ ପର୍ଯ୍ୟନ୍ତ ଏହି ଆଦେଶ ବଳବତ୍ତର ରଖାଯିବା ନେଇ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଉପଜିଲ୍ଲାପାଳ ।