ସର୍ଟସର୍କିଟ୍‌ ଯୋଗୁଁ ଅଗ୍ନିକାଣ୍ଡ: ଗାଲୁଆ ପଞ୍ଚାୟତର ୪ଟି ଘର ସମ୍ପୂର୍ଣ୍ଣ ନଷ୍ଟ

Published: Jun 13, 2020, 1:34 pm IST

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ସର୍ଟସର୍କିଟ୍‌ ଯୋଗୁଁ ୪ ବଖରା ଘର ନଷ୍ଟ ହେବା ସହିତ ଆସବାବପତ୍ର ମଧ୍ୟ ସମ୍ପୂର୍ଣ୍ଣ ପୋଡି ଯାଇଛି। ମିଳିଥିବା ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲା ଗାଲୁଆ ପଞ୍ଚାୟତର ଭୀମପୁର ଗ୍ରାମର ବଡପାଟଣା ସାହିରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି। ସର୍ଟ ସର୍କିଟ୍‌ ଯୋଗୁଁ ଉକ୍ତ ଗ୍ରାମର ବାଉରୀ ବନ୍ଧୁ ଘଡାଇଙ୍କ ଘରେ ନିଆଁ ଲାଗି ତାଙ୍କର ୪ ବଖରା ଘର ସମ୍ପୂର୍ଣ୍ଣ ପୋଡି ଯାଇଥିବାବେଳେ ଆସବାବପତ୍ର ମଧ୍ୟ ପୋଡି ନଷ୍ଟ ହୋଇଛି। ଆଜି ସକାଳ ସମୟରେ ନିଆଁଲାଗିଥିବାବେଳେ ବାଣପୁର ଅଗ୍ନିଶମ ଅଧିକାରୀ ବିବେକାନନ୍ଦ ଦାସ ଦୁଇଟି ଦମକଳ ଗାଡି ସହ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଏହି ଅଗ୍ନିକାଣ୍ଡରେ କୌଣସି ଜୀବନ ହାନି ହୋଇନଥିବାବେଳେ ଏହି ଅଗ୍ନିକାଣ୍ଡରେ ସମ୍ପୃକ୍ତ ପରିବାରଙ୍କ ୪ଟି ଆଜବେଷ୍ଟସ୍‌ ଘର ସମ୍ପୂର୍ଣ୍ଣ ନଷ୍ଟ ହେବା ସହିତ ଆସବାବପତ୍ର ନଷ୍ଟ ହୋଇଛି। ଗରିବ ପରିବାରଙ୍କୁ ସରକାରୀ ସାହାଯ୍ୟ ପାଇଁ ସାଧାରଣରେ ଦାବି ହୋଇଛି।

ଘଟଣାସ୍ଥଳରେ ଗାଲୁଆ ସରପଞ୍ଚଙ୍କ ପ୍ରତିନିଧି ଚିତ୍ତରଞ୍ଜନ ସାମନ୍ତରାୟ ଉପସ୍ଥିତ ରହିଥିବାବେଳେ ସରକାରୀ ସାହାଯ୍ୟ ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଅଗ୍ନିକାଣ୍ଡ ଜନିତ ରିପୋର୍ଟ ଆରଆଇଙ୍କଠାରୁ ସଂଗ୍ରହ କରି ତହସିଲଦାରଙ୍କ ନିକଟରେ ଲିଖିତାକାରରେ ସାହାଯ୍ୟ ଲାଗି ଦାବି ଜଣାଇବେ ବୋଲି ସୂଚନା ଦେଇଛନ୍ତି।

Related posts