ଲକ୍‌ଡାଉନ୍‌ ନିୟମ ଭଙ୍ଗ କରିବା ପଡିଲା ମହଙ୍ଗା: ବରକୁ ଉଠାଇନେଲା ପୋଲିସ୍‌

Published: Jun 14, 2020, 8:19 pm IST

ମୁମ୍ୱାଇ: ମହାରାଷ୍ଟ୍ରରେ କରୋନା ସ୍ଥିତି ଅଣାୟତ୍ତ ରହିଛି। କେବଳ ମହାରାଷ୍ଟ୍ରରେ ଏକ ଲକ୍ଷରୁ ଅଧିକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏଠାରେ ଲୋକମାନେ ଲକ୍‌ଡାଉନ୍‌ ନିୟମ ଭାଙ୍ଗୁଥିବାରୁ ପୋଲିସ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଲକ୍‌ଡାଉନ୍‌ ନିୟମ ନମାନି ବ୍ୟାଣ୍ଡ ବାଜାସହିତ ବାହା ହେବାକୁ ଯାଉଥିବା ବରକୁ ପୋଲିସ୍‌ ଉଠାଇ ନେଇଛି। ବର ସମେତ ୯ ଜଣଙ୍କୁ ଗିରଫ କରିଛି ପୋଲିସ। ପୋଲିସ ସେମାନଙ୍କ ନାଁରେ ଏକ ମାମଲା ରୁଜୁ କରିଛି। ଏପରି ଏକ ଘଟଣା ମାଲଭାନି  ଷ୍ଟେସନ ଅଞ୍ଚଳରେ ଘଟିଛି।

ମିଳିଥିବା ସୂଚନା ଅନୁସାରେ ମାଲଭାନି ରୁ ଏହି ବ୍ୟାଣ୍ଡବାଜା ବରଯାତ୍ରୀ ବାହାରିଥିଲା। କିନ୍ତୁ ବରଯାତ୍ରୀମାନେ ସାମାଜିକ ଦୂରତା କୁ ଉଲ୍ଲଂଘନ କରିବା ସହିତ କେହି ବି ମୁହଁରେ ମାସ୍କ ପିନ୍ଧିନଥିଲେ। ସୋସିଆଲ ମିଡିଆରେ ଏହି ବରଯାତ୍ରୀଙ୍କ ଭିଡିଓ ଭାଇରାଲ ହେବାପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଖବର ଅନୁଯାୟୀ, ଜୁନ୍‌ ୧୨ରେ ଏକ ପରିବାର ବିବାହ ପାଇଁ ବ୍ୟାଣ୍ଡ ବାଜା ସହିତ ବାହାରିଥିଲେ। ପୋଲିସର ବିନା ଅନୁମତିରେ ଏହି  ବାହାଘର ହୋଇଥିବାର ଜଣାପଡିଛି। ଏହା ସହିତ ବାହାଘରରେ  ସାମିଲ୍‌ ହୋଇଥିବା ବ୍ୟାଣ୍ଡ ବାଜା ପାର୍ଟି ବିରୋଧରେ ମଧ୍ୟ ପୋଲିସ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସୂଚନା ରହିଛି। (ଏଜେନ୍ସି)

Related posts