ଭୁବନେଶ୍ୱର : ଆସନ୍ତା ଜୁନ୍ 21 ରେ ଅର୍ଥାତ୍ ଆସନ୍ତାକାଲି ସୂର୍ଯ୍ୟୋପରାଗ। ଓଡ଼ିଶାରେ ଏହା ଆଂଶିକ ଦୃଶ୍ୟ ହେବ । ଆଷାଢ଼ ମାସ ବିଜୟ ଅମାବାସ୍ୟାରେ ରାହୁଗ୍ରସ୍ତ କଙ୍କଣାକୃତି ଆଂଶିକ ଚୂଡ଼ାମଣି ସୂର୍ଯ୍ୟୋପରାଗ ସଂଘଟିତ ହେବ । ଭାରତର ହରିଆଣା, ରାଜସ୍ଥାନ, ଉତ୍ତରାଖଣ୍ଡର କିଛି ଅଞ୍ଚଳରେ କଙ୍କଣାକୃତି ଦୃଶ୍ୟ ହେବ। ଭାରତର ଅନ୍ୟାନ୍ୟ ଅଞ୍ଚଳରେ ବଳୟ ସୂର୍ଯ୍ୟ ପରାଗ ଦେଖିହେବ ତେବେ ଓଡ଼ିଶାରେ ଆଂଶିକ ପରାଗ ଦୃଶ୍ୟମାନ ହେବ ।
ପରାଗ ସ୍ପର୍ଶ ଦିବା 10ଟା 38ମିନିଟ୍ 8 ସେକେଣ୍ଡରେ ହେବ । ପରାଗ ମଧ୍ୟ ଦିବା 12ଟା 26 ମିନିଟ୍ 9 ସେକେଣ୍ଡ ଏବଂ ସର୍ବମୋକ୍ଷ ଦିବା 2ଟା 9 ମିନିଟ୍ 51ସେକେଣ୍ଡରେ ହେବ। ଓଡ଼ିଶାରେ 3 ଘଣ୍ଟା 31 ମିନିଟ୍ଠାରୁ 3 ଘଣ୍ଟା 33 ମିନିଟ୍ ରହିବ । ସେହିପରି ଆଜି ରାତି 10ଟା 38 ମିନିଟ୍ରୁ ପାକତ୍ୟାଗ କରାଯିବ ବୋଲି ସୂଚନା ରହିଛି । ସେହିପରି ଦେବନୀତି ମଧ୍ୟ ନିଷେଧ କରାଯାଇଛି ।
ଗ୍ରହଣ ସ୍ପର୍ଶର 12 ଘଣ୍ଟା ପୂର୍ବରୁ ଶନିବାର ରାତି 10ଟା 38ଠାରୁ ପାକତ୍ୟାଗ ତଥା ଅନ୍ନଭୋଜନ ଏବଂ ଦେବନୀତି ନିଷେଧ । ସର୍ବମୋକ୍ଷ ଦିବା 2ଟା 9 ମିନିଟ୍ ପର୍ଯ୍ୟନ୍ତ ସୂର୍ଯ୍ୟୋପରାଗର ବିଧିବିଧାନ ପାଳନ ହେତୁ ଏହି ସମୟ ମଧ୍ୟରେ ଦେବନୀତି ଓ ଅନ୍ନଭୋଜନାଦି ସମ୍ପୂର୍ଣ୍ଣ ନିଷେଧ କରାଯାଇଛି ।