
୧୭ତମ ଲୋକସଭା ନିର୍ବାଚନ ସମେତ ଚାରିଟି ରାଜ୍ୟର ବିଧାନସଭା ନିମନ୍ତେ ଗତକାଲି ଅପରାହ୍ନରେ ଚୂଡ଼ାନ୍ତ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ସାତଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା ଏହି ନିର୍ବାଚନ ପ୍ରକ୍ରିୟା ଆସନ୍ତା ମାର୍ଚ୍ଚ ୧୭ ତାରିଖରୁ ଆରମ୍ଭ ହୋଇ ମେ’ ୨୩ରେ ଭୋଟ ଗଣତି ଶେଷ ହେବ। ତେବେ ଏହି ନିର୍ବାଚନ ତାରିଖକୁ ନେଇ ବିବାଦ ଦେଖାଯାଇଛି। ଏହି ନିର୍ବାଚନ ସମୟରେ ମୁସଲମାନମାନଙ୍କର ପବିତ୍ର ରମ୍ଜାନ୍ ପଡ଼ୁଥିବାରୁ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ଏହି ମାମଲାକୁ ନେଇ ନିର୍ବାଚନ କମିଶନଙ୍କ ନିକଟରେ ନିଜର ଅସନ୍ତୋଷ ଜାହିର କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ସୁଶ୍ରୀ ମମତା ବାନାର୍ଜୀ। ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ନିର୍ବାଚନ କମିଶନ। ନିର୍ବାଚନ କମିଶନଙ୍କ ପକ୍ଷରୁ କୁହଯାଇଛି ଯେ କେବଳ ମୁସଲମାନମାନଙ୍କର ରମଜାନ ନୁହେଁ ଅନ୍ୟ ସଂପ୍ରଦାୟମାନଙ୍କର ବହୁ ପର୍ବପର୍ବାଣୀ ଏହି ନିର୍ବାଚନ ପ୍ରକ୍ରିୟା ମଧ୍ୟରେ ପଡ଼ୁଛି। ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ଏହି ନିର୍ବାଚନ ପ୍ରକ୍ରିୟା ମଧ୍ୟରେ ପଡ଼ୁଥିବା ସମସ୍ତ ପର୍ବପର୍ବାଣୀ ଦିନଗୁଡ଼ିକ ସମେତ ସବୁ ଶୁକ୍ରବାରକୁ ନିର୍ବାଚନରୁ ଦୂରେଇ ରଖିଛନ୍ତି। ତେଣୁ, ଏହା ନିର୍ବାଚନକୁ ପ୍ରଭାବିତ କରିବ ନାହିଁ। ତେବେ, ରମ୍ଜାନ୍ ପାଇଁ ନିର୍ବାଚନ ପ୍ରକ୍ରିୟାରୁ ପୂରା ଗୋଟିଏ ମାସକୁ ବାଦ୍ ଦିଆ ଯାଇପାରିବା ସମ୍ଭବ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ନିର୍ବାଚନ କମିଶନ।