ଭୁବନେଶ୍ବର : ଆଜି ଭୁବନେଶ୍ବର ମହାନଗରରୁ 22 ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ନୂତନ ଆକ୍ରାନ୍ତଙ୍କୁ ମଧ୍ୟରୁ 3 ଜଣ ହୋମ୍ କ୍ବାରେଣ୍ଟାଇନ୍ ଥିବାବେଳେ 19 ଜଣ ଲୋକାଲ୍ କଣ୍ଟାକ୍ଟ କେସ୍ ବୋଲି ସୂଚନା ଦେଇଛି ବିଏମ୍ସି ।
ହୋମ୍ କ୍ବାରେଣ୍ଟିନ୍ରେ ଥିବା ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ରେଲଓ୍ବେ କର୍ମଚାରୀ ରହିଛନ୍ତି । 29 ବର୍ଷୀୟ ଏହି କର୍ମଚାରୀ ଜଣକ ନିକଟରେ ଦିଲ୍ଲୀରୁ ଫେରିଥିଲେ । ସେହିପରି ଅନ୍ୟ ଦୁଇ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଚନ୍ଦ୍ରଶେଖରପୁର ମୈତ୍ରୀବିହାରର 28 ବର୍ଷୀୟ ଯୁବକ ରହିଛନ୍ତି । ସେ ନିକଟରେ କଲିକତାରୁ ଫେରିଥିଲେ । ଅନ୍ୟ ଜଣେ ଭିଏଏସ୍ ନଗରର 24 ବର୍ଷୀୟ ଯୁବକ ।
19 ଲୋକାଲ୍ କେସ୍ ମଧ୍ୟରୁ 16 ଜଣ ଏକ ଘରୋଇ ହସ୍ପିଟାଲର କର୍ମଚାରୀ । ଏହି କର୍ମଚାରୀଙ୍କ ମଧ୍ୟରେ 3 ଜଣ ପୁରୁଷ ଥିବାବେଳେ ଅନ୍ୟ 13 ଜଣ ମହିଳା ବୋଲି ଜଣାପଡିଛି । ସେମାନଙ୍କ ବୟସ ଯଥାକ୍ରମେ 22, 28, 22, 22, 35, 24, 44, 38, 23, 38, 28, 23, 48, 18, 27 ବର୍ଷ ରହିଛି ।
ସେହିପରି ଅନ୍ୟ ଦୁଇ ଲୋକାଲ କେସ୍ ନୀଳାଦ୍ରି ବିହାରର ଅଞ୍ଚଳରୁ ଚିହ୍ନଟ ହୋଇଛି। ପୂର୍ବ ପଜିଟିଭଙ୍କ ସଂସ୍ପର୍ଶରେ ଆସି ନୀଳାଦ୍ରିବିହାରରେ ଥିବା ଦୁଇଜଣ ସଂକ୍ରମିତ ହୋଇଥିବାର ସୂଚନା ରହିଛି । ଦୁଇଜଣଙ୍କମଧ୍ୟରୁ ଜଣେ 39 ବର୍ଷୀୟ ପୁରୁଷ ଥିବାବେଳେ ଅନ୍ୟ ଜଣେ 34 ବର୍ଷୀୟ ମହିଳା । ଶୈଳଶ୍ରୀ ବିହାର ଅଞ୍ଚଳରୁ ମଧ୍ୟ ଜଣେ ଲୋକାଲ୍ କେସ ଚିହ୍ନଟ । 65 ବର୍ଷୀୟ ପୁରୁଷ ଜଣକ ଚିଲିକା ଫ୍ରେସ୍ ନିକଟରୁ ଚିହ୍ନଟ ହୋଇଛନ୍ତି ।
ସେହିପରି ଆଜି ଭୁବନେଶ୍ବରରୁ 15 ଜଣ ସୁସ୍ଥ ହୋଇଥିବାର ବିଏମ୍ସି ସୂଚନା ଦେଇଛି । ଆଜି ଚିହ୍ନଟ ନୂତନ 22କୁ ମିଶାଇ ଭୁବନେଶ୍ବରରେ ମୋଟ୍ ପଜିଟିଭଙ୍କ ସଂଖ୍ୟା 220କୁ ବୃଦ୍ଧି ହୋଇଥିବାବେଳେ 113 ଜଣ ସୁସ୍ଥ ହୋଇଛନ୍ତି । ତିନି ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 103ଟି ସକ୍ରିୟ ମାମଲା ରହିଛି ।