
ଭୁବନେଶ୍ବର : ରାଜ୍ୟରେ କରୋନା ସ୍ଥିତି ଭୟଙ୍କର ହେଉଛି । ଆଜି ପୁଣି ରାଜ୍ୟରୁ ଦୁଇଟି ମୁଣ୍ଡ ନେଇଛି କରୋନା । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ଏହି ମୃତକ ଦ୍ବୟ ଗଞ୍ଜାମ ଜିଲ୍ଲାର ବୋଲି ସୂଚନା ରହିଛି । ଦୁହେଁ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି । ମୃତକଙ୍କ ମଧ୍ୟରେ ଜଣେ 48 ବର୍ଷୀୟା ମହିଳା ଥିବାବେଳେ ଅନ୍ୟ ଜଣେ 39 ବର୍ଷୀୟା ମହିଳା ବୋଲି ଜଣାପଡିଛି । ଏହି ମହିଳା ଜଣକ କିଡ୍ନୀ ସମସ୍ୟାରେ ମଧ୍ୟ ପୀଡ଼ିତ ଥିଲେ । ଗଞ୍ଜାମରେ ଏବେ ମୃତକଙ୍କ ସଂଖ୍ୟା 14ରେ ପହଞ୍ଚିଛି । ସେହିପରି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 25ରେ ପହଞ୍ଚିଛି । ସେହିପରି ଅନ୍ୟ 7 ଜଣ କରୋନାରେ ଆକ୍ରାନ୍ତଙ୍କ ହୋଇ ମଧ୍ୟ ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।