ଗାଈଚରାଳି ପଜିଟିଭ୍‌, କ୍ବାରେଣ୍ଟାଇନ୍‌ରେ ଛେଳି-ମେଣ୍ଢା

Published: Jul 1, 2020, 5:07 pm IST

କର୍ଣ୍ଣାଟକ : ଦେଶରେ  କରୋନାର ପ୍ରକୋପ ବଢି ଚାଲିଛି । ଏହା ମଧ୍ୟରେ କର୍ଣ୍ଣାଟକରୁ ଏକ ଅଜବ ଖବର ସାମ୍ନାକୁ ଆସିଛି । ଏଠାରେ ଏକ ଗ୍ରାମରେ ଜଣେ ଗାଈଚରାଳି (ମେଷପାଳକ) କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ 50 ଛେଳି ଓ ମେଣ୍ଢାକୁ କ୍ବାରେଣ୍ଟାଇନ୍‌ କରାଯାଇଛି । କର୍ଣ୍ଣାଟକର କର୍ଣ୍ଣାଟର ତୁମୁକୁରୁ ଗ୍ରାମରେ ଜଣେ ଗାଈ ଚରାଳି କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହା ପରେ ତାଙ୍କର 50ଟି ଛେଳି ଓ ମେଣ୍ଢାକୁ କ୍ବାରେଣ୍ଟାଇନ୍‌ କରାଯାଇଛି ।

ଏହି ପଶୁଜନ୍ତୁଗୁଡିକୁ ଗତ କିଛି ଦିନ ହେବ ନିଃଶ୍ବାସ ନେବାରେ କଷ୍ଟ ଅନୁଭବ କରୁଥିବାର ସୂଚନା ରହିଥିଲା । ଏହା ପରେ ଏହି ଛେଳି ଓ ମେଣ୍ଢାଗୁଡିକର କରୋନା ଟେଷ୍ଟ କରାଯାଉଛି । ଏହି ଖବର ସାମ୍ନାକୁ ଆସିବା ପରେ ଗ୍ରାମରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।

ପଶୁପାଳନ ବିଭାଗର ଅଧିକାରୀ ମାନେ ପିପିଇ ପିନ୍ଧି ଏହି ଛେଳି ଓ ମେଣ୍ଢାର ସାମ୍ପଲ୍‌ ସଂଗ୍ରହ କରିଛନ୍ତି । ତେବେ ଏପର୍ଯ୍ୟନ୍ତ ପଶୁଙ୍କ ମଧ୍ୟରେ କରୋନା ମାମଲା ଦେଖାଯାଇଥିବାର କୌଣସି ସୂଚନା ଆସିନାହିଁ । ତେବେ ଏହି ପଶୁଜନ୍ତୁଙ୍କ ନମୁନା ନିଆଯାଇ କରୋନା ଟେଷ୍ଟ କରାଯିବା ପାଇଁ ପଠାଯାଇଛି ।

ତେବେ ସାଧାରଣତଃ ମୌସୁମୀ ସମୟରେ ଗୃହପାଳିତ ପଶୁ ତଥା ଜନ୍ତୁଙ୍କୁ ନିଃଶ୍ବାସ ନେବାରେ କଷ୍ଟ ଅନୁଭବ ହୋଇଥାଏ । କିନ୍ତୁ ମେଷପାଳକଙ୍କ କରୋନା ପଜିଟିଭ୍‌ ଆସିବା ପରେ ଏହି ମେଣ୍ଢା ଓ ଛେଳିମାନଙ୍କ ସାମ୍ପଲ୍‌ ଟେଷ୍ଟ କରାଯାଉଛି । ସୂଚନାଯୋଗ୍ୟ, କର୍ଣ୍ଣାଟକରେ 15 ହଜାରରୁ ଉର୍ଦ୍ଧ୍ବ ସଂକ୍ରମିତ ମାମଲା ଥିବାବେଳେ ମୃତ୍ୟୁ ସଂଖ୍ୟା 246 ରହିଛି । (ଏଜେନ୍ସି)

Related posts