ଭୁବନେଶ୍ବର : ଭୁବନେଶ୍ବର ମହାନଗର ନିଗମର କର୍ମଚାରୀ କରୋନାରେ ଆକ୍ରାନ୍ତ । ଆକ୍ରାନ୍ତଙ୍କ ମଧ୍ୟରେ 2 ଜଣ ଇଞ୍ଜିନିୟର ରହିଥିବାବେଳେ ଜଣେ ଡ୍ରାଇଭର ରହିଥିବାର ସୂଚନା ଦେଇଛନ୍ତି ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ତିନି ଆକ୍ରାନ୍ତଙ୍କ ବାହାର ଜିଲ୍ଲାର ଟ୍ରାଭେଲ୍ ହିଷ୍ଟ୍ରି ଥିବା ସୂଚନା ରହିଛି । ତିନିଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଇଞ୍ଜିନିୟରିଂ ବିଭାଗ ସିଲ୍ ହୋଇଛି । ଇଞ୍ଜିନିୟରିଂ ବିଭାଗର ସମସ୍ତ କର୍ମଚାରୀଙ୍କୁ ହୋମ୍ କ୍ବାରେଣ୍ଟିନ୍ରେ ରହିବାକୁ ନିର୍ଦ୍ଦେଶ ରହିଛି ।
ଦିନକୁ ଦିନ ଜଟିଳ ହେଉଛି କରୋନା କଟକଣା। ସରକାରୀ କର୍ମଚାରୀ ଯେମିତି ସଂକ୍ରମିତ ନହୁଅନ୍ତି ସେଥିପାଇଁ ସାଧାରଣ ଲୋକଙ୍କୁ ଅଫିସ୍ ଆସିବାକୁ ବାରଣ କରାଯାଇଛି। ସ୍ଥାନୀୟ ସଂକ୍ରମଣ ସଂଖ୍ୟା ବଢୁଥିବାରୁ ଏବଂ ଆଗଧାଡ଼ିର କରୋନା ଯୋଦ୍ଧା ଓ ସରକାରୀ କର୍ମଚାରୀମାନେ ଆକ୍ରାନ୍ତ ହେଉଥିବାରୁ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ବିଏମ୍ସି ଅଫିସକୁ ଲୋକଙ୍କ ପ୍ରବେଶକୁ ମନା କରାଯାଇଥିବା ବେଳେ ଲୋକସେବା ଭବନ, କୃଷି ଭବନ, ଖାରବେଳ ଭବନ, ରାଜୀବ ଭବନ ଏବଂ ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଲୋକ ଆସିବାକୁ ମନା କରାଯାଇଛି। ଖୋର୍ଦ୍ଧା ପୌର ଅଫିସ୍ରେ ମଧ୍ୟ ଅନୁରୂପ କଟକଣା ଜାରି କରାଯାଇଛି। ଅଫିସ୍ ଖୋଲିବ, କର୍ମଚାରୀ ଆସିବେ। ହେଲେ କୌଣସି ଲୋକ ଆସିପାରିବେ ନାହିଁ ବୋଲି କଟକଣା ଜାରି କରାଯାଇଛି।