ଓଡ଼ିଶା ପାଇଁ ଗୌରବ ଆଣିଥିବା ବୈଶାଳୀ ମହାନ୍ତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

Published: Jul 5, 2020, 7:23 pm IST

ଭୁବନେଶ୍ବର, ମିଳିତ ଜାତିସଂଘରେ ନୀତି ଅଧିକାରୀ ଭାବେ ଯୋଗଦେଇ ରାଜ୍ୟ ପାଇଁ ଗୌରବ ଆଣିଥିବା ଓଡ଼ିଆ ଝିଅ ବୈଶାଳୀ ମହାନ୍ତିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି। ବୈଶାଳୀ ଇଂଲଣ୍ଡର ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟରେ ଇଣ୍ଟରନ୍ୟାସନାଲ ଷ୍ଟଡିଜ୍‌ରେ ଶ୍ରେଷ୍ଠ ଗ୍ରାଜୁଏଟ ବିବେଚିତ ହୋଇ ରାଜ୍ୟ ପାଇଁ ଗୌରବ ଆଣିବା ପରେ ଏବେ ଜୁଲାଇ ୧ରୁ ଜାତିସଂଘର ନୀତି ଅଧିକାରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହି ପଦରେ ନିଯୁକ୍ତି ପାଇବାରେ ସେ ପ୍ରଥମ ଓଡ଼ିଆ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବୈଶାଳୀ ୨୦୧୮ରେ ୟୁଏନ୍‌ ମିସନ୍‌ରେ ଓଆଇଏମ୍‌ ଅଧିକାରୀ ଭାବେ ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ପାଇଁ କାମ କରୁଥିଲେ।

ପୂର୍ବତନ ମୁଖ୍ୟଯନ୍ତ୍ରୀ ରାଧାବିନୋଦ ମହାନ୍ତି ଓ ମହିଳା ସାମାଜିକ କର୍ମୀ ତଥା ଲେଖିକା ମାନସୀ ପ୍ରଧାନଙ୍କ ଝିଅ ବୈଶାଳୀଙ୍କ ଜନ୍ମ ପୁରୀରେ। ପୁରୀର ବ୍ଲେସ୍‌ଡ ସେ‌କ୍ରାମେଣ୍ଟ ହାଇସ୍କୁଲ୍‌ ଓ ଭୁବନେଶ୍ବରର କିଟ୍‌ ଇଣ୍ଟରନାସନାଲ ସ୍କୁଲ୍‌ରୁ ସ୍କୁଲ୍‌ଶିକ୍ଷା ଶେଷ କରି ସେ ଦିଲ୍ଲୀର ଲେଡି ଶ୍ରୀରାମ କଲେଜ୍‌ରେ ସ୍ନାତକ ଶିକ୍ଷା ଶେଷ କରିଥିଲେ। ‘ନ୍ୟୁକ୍ଲିୟର ଡିପ୍ଲୋମାସି’ ଉପରେ ନିବନ୍ଧ ପ୍ରସ୍ତୁତ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ।

ଏଥିସହ ବୈଶାଳୀ‌ କେତେକ ଅନ୍ତର୍ଜାତୀୟ ପ୍ରକାଶନରେ ବୈଦେଶିକ ନୀତି ଓ ନିରାପତ୍ତା ସମ୍ବନ୍ଧରେ ଲେଖି ଆସୁଥିଲେ। ଓଡ଼ିଶୀ ନୃତ୍ୟଶିଳ୍ପୀ ଭାବେ ମଧ୍ୟ ତାଙ୍କର ଖ୍ୟାତି ରହିଛି। ସେ ଅକ୍ସଫୋର୍ଡ ଓଡ଼ିଶୀ କେନ୍ଦ୍ର ପ୍ରତିଷ୍ଠା କରି ଓଡ଼ିଶୀ ପ୍ରଶିକ୍ଷଣ ଦେଉଛନ୍ତି। ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ସମେତ ଇଂଲଣ୍ଡର କେତେକ ବିଶ୍ବବିଦ୍ୟାଳୟରେ ମଧ୍ୟ ସେ ଓଡ଼ିଶୀ ନୃତ୍ୟ ତାଲିମ ଦେଉଛନ୍ତି।

Related posts