ସାମାଜିକ ଦୂରତା ନିୟମ ଭାଙ୍ଗିଲେ ଦୋକାନୀ ଗଣିବେ ମୋଟା ଅଙ୍କର ଜରିମାନା

Published: Jul 7, 2020, 3:16 pm IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତି ଦିନକୁ ଦିନ ବେକାବୁ ହେବାର ଲାଗିଛି। ଜିଲ୍ଲାରେ କରୋନା ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ନିୟମକୁ କଡ଼ାକଡ଼ି କରାଯାଇଛି। କୌଣସି ଦୋକାନୀ ସାମାଜିକ ଦୂରତ୍ୱ ନମାନିଲେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି।

ଯଦି କୌଣସି ଦୋକାନୀ ପ୍ରଥମ ଥର ସାମାଜିକ ଦୂରତ୍ୱ ନିୟମ ଖିଲାପ କଲେ  5000 ଟଙ୍କା ଜୋରିମାନା ଦେବାକୁ ପଡ଼ିବ। ଏହାସହ 15 ଦିନ ଦୋକାନ ବନ୍ଦ କରିବାକୁ ପଡ଼ିବ। ଦୋକାନୀଜଣଙ୍କ ଦ୍ୱିତୀୟ ଥର ନିୟମ ଖିଲାପ କଲେ ଥାନାରେ ତାଙ୍କ ନାଁରେ ଏତଲା ଦିଆଯିବ। ଏହାସହ ମାସେ ଦୋକାନ ବନ୍ଦ ରହିବ।

କରୋନା ସ୍ଥିତି ଦେଖି ଗଞ୍ଜାମରେ ଆଣ୍ଟିଜେନ୍‌ ଟେଷ୍ଟ ହେବ ଏବଂ ଆସନ୍ତାକାଲିଠାରୁ ଗଞ୍ଜାମର ସହରାଞ୍ଚଳରେ  ଘର ଘର ବୁଲି ସ୍କ୍ରିନିଂ କରାଯିବ । ସେଥିପାଇଁ ସମସ୍ତେ ସହଯୋଗ କରିବା ପାଇଁ ନିବେଦନ କରିଛନ୍ତି ଜିଲ୍ଲାପାଳ।

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 10 ହଜାର ଟପିଥିବାବେଳେ ଗଞ୍ଜାମରେ ସର୍ବାଧିକ ଦୁଇ ହଜାରରୁ ଅଧିକ ଏହି ମହାମାରୀରେ ଆକ୍ରାନ୍ତ ହୋଇଥିବାବେଳେ ସର୍ବାଧିକ 24ଜଣ କରୋନାରେ ପ୍ରାଣ ହରାଇଛନ୍ତି ।

Related posts