ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି କରୋନାଭାଇରସ୍। ଗତ 24 ଘଣ୍ଟା ମଧ୍ୟରେ ଦେଶରେ ପାଖାପାଖି 23ହଜାର ପଜିଟିଭ୍ ମାମଲା ସାମ୍ନାକୁ ଆସିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ରିପୋର୍ଟ ଅନୁଯାୟୀ, ଦିନକରେ ମୋଟ 22 ହଜାର 752 ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି 24 ଘଣ୍ଟା ଭିତରେ 482 ଜଣ ଏହି ମହାମାରୀରେ ପ୍ରାଣ ହରାଇଛନ୍ତି। ଏଥିସହ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 7 ଲକ୍ଷ 42 ହଜାର 417 ରେ ପହଞ୍ଚିଯାଇଛି। ସେହିପରି ମୃତ୍ୟୁ ସଂଖ୍ୟା 20 ହଜାର 642କୁ ବୃଦ୍ଧି ପାଇଛି। ପ୍ରଭାବିତ ତାଲିକାରେ ଭାରତ ଏବେ ତୃତୀୟ ସ୍ଥାନରେ ରହିଛି । ସାରା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଆମେରିକା ପ୍ରଥମ ସ୍ଥାନରେ ଥିବା ବେଳେ ବ୍ରାଜିଲ୍ ଦ୍ୱିତୀୟ ସ୍ଥାନରେ ରହିଛି ।
ସେହିପରି 4 ଲକ୍ଷ 56 ହଜାର 831 ଜଣ ସୁସ୍ଥ ହୋଇସାରିଛନ୍ତି । ସେହିପରି ଏବେବି 2 ଲକ୍ଷ 64 ହଜାର 944 ଜଣ ସକ୍ରିୟ ମାମଲା ରହିଛି ।
ମହାରାଷ୍ଟ୍ରରେ ସର୍ବାଧିକ ଆକ୍ରାନ୍ତ ରହିଛି । ରାଜ୍ୟରେ ମୋଟ ପଜିଟିଭ୍ ସଂଖ୍ୟା 2 ଲକ୍ଷ 17 ହଜାର 121 ରହିଛି । ସେହିପରି ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ 9 ହଜାର 250ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଦିଲ୍ଲୀରେ ମୃତ୍ୟୁ ସଂଖ୍ୟା 3ହଜାର 165କୁ ବୃଦ୍ଧି ହୋଇଥିବାବେଳେ ଗୁଜୁରାଟରେ 1977, ତାମିଲନାଡୁରେ 1ହଜାର636ଜଣଙ୍କର ମୃତ୍ୟୁ ହୋଇଛି ।