
ଭୁବନେଶ୍ବର, ପବ୍ଲିକ ସର୍ଭିସରେ ଉନ୍ନତି ଆଣିବା ସକାଶେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି 8 ଟି ନୂଆ ଟେକନୋଲୋଜିର ଶୁଭାରମ୍ଭ କରିଛନ୍ତି। ଗୃହ ଓ ସାଧାରଣ ପ୍ରଶାସନ ବିଭାଗର ବିଭିନ୍ନ ସରକାରୀ କାମ ଏହାଦ୍ବାରା ଅଧିକ ସରଳ ହେବା ସହ ବିଭିନ୍ନ କାର୍ଯ୍ୟକ୍ରମ ତ୍ବରାନ୍ବିତ ହୋଇ ପାରିବ। ଏହାଦ୍ବାରା ପ୍ରାଶାସନିକ ସଂସ୍କାର ବାବଦ ଲକ୍ଷ୍ୟ ମଧ୍ୟ ସୁବିଧାରେ ହାସକ କରାଯାଇ ପାରିବ। ନୂଆ ଟେକନୋଲୋଜିର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, 5ଟି ମଡେଲ ସହ ମୋ ସରକାର କାର୍ଯ୍ୟକ୍ରମ ଯୋଗୁଁ ରାଜ୍ୟ ପ୍ରଶାସନରେ ଦକ୍ଷତା ଓ ଗୁଣବତ୍ତା ଅନେକାଂଶରେ ବଢି ପାରିଛି।
ଭୁବନେଶ୍ବରରେ ସରକାରୀ ଜମିର ସୁରକ୍ଷା ଦିଗରେ ସ୍ପେସ ଟେକନୋଲୋଜି ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନସର ବ୍ୟବହାର କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ। ଏହାଦ୍ବାରା ରାଜଧାନୀର ଯୋଜନାବଦ୍ଧ ବିକାଶ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କୋଭିଡ ସଂକଟ ଯୋଗୁଁ ସମସ୍ତ ସରକାରୀ କାର୍ଯ୍ୟକ୍ରମ ପାଇଁ ସମୟ ସୀମା 2020 ଅକ୍ଟୋବର 2କୁ ବଢାଇ ଦିଆଯାଇଛି। ପୂର୍ବରୁ ଏହି ସୀମା ଅଗଷ୍ଟ 15 ଥିଲା।
ଏହି ଅବସରରେ ମୁଖ୍ୟ ସଚିବ ଅସିତ ତ୍ରିପାଠି, ଗୃହ ବିଭାଗ ପ୍ରମୁଖ ସଚିବ, ଦକ୍ଷତା ବିକାଶ ପ୍ରାଧୀକରଣ ଅଧ୍ୟକ୍ଷ, ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଉପଦେଷ୍ଟା, 5ଟି ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।