ପାୱାର ଟିଲର ଯୋଗାଇ ଦେବା ନାଁରେ ମହାଠକେଇ ଅଭିଯୋଗ

Published: Jul 16, 2020, 11:05 pm IST

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି ଜିଲ୍ଲା: କଲମପୁର ବ୍ଲକ , ବିଜମରା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଦୁଲକୀବନ୍ଧ M/S – ISWAR AGRO SALES ଦୋକାନ ମାଲିକଙ୍କ ନାମରେ ଆସିଛି ବଡ଼ ସଙ୍ଗୀନ ଅଭିଯୋଗ। କଲମପୁର , କୋକସରା , ଜୟପାଟଣା ବ୍ଲକର ୩୭ ଜଣ ଚାଷୀଙ୍କୁ ରିହାତି ଦରରେ ପାୱାର ଟିଲର ଯୋଗାଇଦେବା ପାଇଁ ଚୁକ୍ତି କରି ଜଣ ଜଣଙ୍କ ଠାରୁ ଲକ୍ଷାଧିକ ଟଙ୍କା ନେଇ ପାୱାର ଟିଲର ଯୋଗାଇପାରୁ ନ ଥିବା ଅଭିଯୋଗ ଆଣିଛନ୍ତି ଚାଷୀମାନେ।

ବର୍ତ୍ତମାନ ଧାନ ଚାଷ ପାଇଁ, ତଳି ରୁଆ ଶେଷ ହୋଇଥିଲେ ମଧ୍ୟ ସେମାନଙ୍କ ପାଖକୁ ପାୱାର ଟିଲର ପହଞ୍ଚି ପାରିଲା ନାହିଁ। ଏନେଇ ଚାଷୀମାନେ ଦୋକାନ ମାଲିକ ପାଖକୁ ବାରମ୍ବାର ଦୌଡ଼ି ଦୌଡ଼ି ନୟାନ୍ତ ହେବାପରେ ଦୋକାନ ସମ୍ମୁଖରେ ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଖବର ପାଇ ବଡ଼କୁଟରୁ ଫାଣ୍ଡି ଅଧିକାରୀ କୃତିବାସ ପୁଝାରୀ ଘଟଣାସ୍ଥଳକୁ ପହଞ୍ଚି ଚାଷୀମାନଙ୍କୁ ବୁଝା ସୁଝା କରିବା ସହ ଦୋକାନ ମାଲିକଙ୍କ ସହ କଥାବାର୍ତ୍ତା କରି ଆସନ୍ତା ସୋମବାର ଦିନ ପାୱାର ଟିଲର ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବାରୁ ଚାଷୀମାନେ ଫେରି ଯାଇଥିଲେ। କିନ୍ତୁ ସୋମବାର ଦିନ ପାୱାର ଟିଲର ନ ପାଇଲେ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଥିବା ଜଣାପଡିଛି। ତେବେ ଆସନ୍ତା ସୋମବାର ଦିନ ଚାଷୀମାନଙ୍କୁ ପାୱାର ଟିଲର ମିଳୁଛି କି ନାହିଁ ତାହା ଆଗାମୀ ଦିନରେ ଦେଖିବାକୁ ବାକି ରହିଲା।

Related posts