ଅଯୋଧ୍ୟାରେ ଖୁବଶୀଘ୍ର ଆରମ୍ଭ ହେବ ରାମ ମନ୍ଦିର ନିର୍ମାଣ, ଯୋଗଦେବେ ପ୍ରଧାନମନ୍ତ୍ରୀ

Published: Jul 17, 2020, 12:54 pm IST

ନୂଆଦିଲ୍ଲୀ, ଅଯୋଧ୍ୟାରେ ଖୁବଶୀଘ୍ର ରାମ ମନ୍ଦିର ନିର୍ମାଣ ଆରମ୍ଭ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ଦିର ନିର୍ମାଣର ଶୁଭାରମ୍ଭ ଅବସରରେ ଯୋଗ ଦେବେ। ଏ ସମ୍ପର୍କରେ ଆଲୋଚନା ପାଇଁ ଶ୍ରୀ ରାମଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସଦସ୍ୟମାନଙ୍କର ଏକ ବୈଠକ ଶନିବାର ଦିନ ବସିବ। ମନ୍ଦିର ନିର୍ମାଣ ଶୁଭାରମ୍ଭ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ ପତ୍ର ପଠାଯାଇ ସାରିଛି। ଆସନ୍ତାକାଲି ବୈଠକରେ ନିର୍ଦ୍ଦିଷ୍ଟ ତାରିଖ ସ୍ଥିର କରାଯିବ।

ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର କାଲି ହେବାକୁ ଥିବା ବୈଠକରେ ଯୋଗଦେବେ। ପ୍ରଧାନମନ୍ତ୍ରୀ କେଉଁ ତାରିଖରେ ଯୋଗ ଦେଇ ପାରିବେ ତାହା ଶ୍ରୀ ମିଶ୍ର ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରି କମିଟିକୁ ଜଣାଇବେ। ମୋଦିଙ୍କ ସହ ଆର.ଏସ.ଏସ ମୁଖ୍ୟ ମୋହନ ଭାଗବତ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏବଂ କିଛି ମନ୍ତ୍ରୀ ତଥା ସ୍ଥାନୀୟ ସାଂସଦ ସମାରୋହରେ ଉପସ୍ଥିତ ରହିବେ। କୋଭିଡ କଟକଣା ଦୃଷ୍ଟିରୁ ସୀମିତ ଅତିଥିଙ୍କୁ ନେଇ ସମାରୋହ ଆୟୋଜନ କରାଯିବ।

ମନ୍ଦିର ନିର୍ମାଣ ଆରମ୍ଭ କରିବା ପାଇଁ ଗର୍ଭ ଗୃହରେ ଭୂମି ପୂଜା ଅନୁଷ୍ଠିତ ହେବ। ଗତବର୍ଷ ନଭେମ୍ବର 9 ତାରିଖରେ ସର୍ବୋଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ ପରେ କେନ୍ଦ୍ର ସରକାର ରାମଜନ୍ମଭୂମି ଟ୍ରଷ୍ଟ ଗଠନ କରିଥିଲେ।

Related posts