ଚୀନକୁ ରାଜନାଥଙ୍କ ଚେତାବନୀ, ଇଞ୍ଚଟିଏ ଜମି ବି କେହି ନେଇ ପାରିବେନି

Published: Jul 17, 2020, 6:20 pm IST

ନୂଆଦିଲ୍ଲୀ: ଭାରତର ଇଞ୍ଚଟିଏ ବି ଜମି କେହି ନେଇ ପାରିବେନି। ଏଭଳି କଡା ଭାଷାରେ ଚୀନକୁ ଚେତାବନୀ ଦେଇଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଦୁଇ ଦିନିଆ ଲଦାଖ ଏବଂ ଜମ୍ମୁ ଓ କଶ୍ମୀର ଗସ୍ତରେ ଆସିଥିବା ରାଜନାଥ ଲଦାଖରେ ଅବତରଣ କରିବା ପରେ ଫର୍‌ୱାର୍ଡ ଅଞ୍ଚଳ ପରିଦର୍ଶନ କରିଥିଲେ। ସେଠାରେ ସୈନିକମାନେ ତାଙ୍କୁ ସଶସ୍ତ୍ରବାହିନୀର ପାରାଡ୍ରପିଙ୍ଗ୍ ଦକ୍ଷତା ଦେଖାଇ‌ଥିଲେ।

ଲଦାଖର ପାଙ୍ଗୋଙ୍ଗ ହ୍ରଦ ନିକଟ ଲୁକଙ୍ଗ ପୋଷ୍ଟରେ ଭାରତୀୟ ସେନା ଏବଂ ଆଇଟିବିପି କର୍ମଚାରୀଙ୍କ ସହ କଥାବାର୍ତ୍ତା ବେଳେ ରାଜନାଥ ସିଂ କହିଛନ୍ତି ଯେ, ବିଶ୍ୱର କୌଣସି ଶକ୍ତି ଭାରତର ଏକ ଇଞ୍ଚ ଜମି ମଧ୍ୟ ନେଇପାରିବ ନାହିଁ। ଭାରତ ଏବଂ ଚୀନ୍ ମଧ୍ୟରେ ସୀମା ବିବାଦର ସମାଧାନ ପାଇଁ ଆଲୋଚନା ଚାଲିଛି। କଥାବାର୍ତ୍ତା ମାଧ୍ୟମରେ ଚୀନ୍ ସହ ବିବାଦର ସମାଧାନ ପାଇଁ ଭାରତ ଆଶା ରଖିଥିବା ବେଳେ ଚୂଡ଼ାନ୍ତ ଫଳାଫଳ ଯେ କଣ ହେବ ତାହାର କୌଣସି ଗ୍ୟାରେଣ୍ଟି ନାହିଁ ବୋଲି ସିଂ କହିଛନ୍ତି।

ଚିଫ୍ ଅଫ୍ ଡିଫେନ୍‌ସ୍ ଷ୍ଟାଫ୍ ଜେନେରାଲ୍ ବିପିନ ରାୱାତ୍ ଏବଂ ସେନା ମୁଖ୍ୟ ଜେନେରାଲ୍ ମନୋଜ ମୁକୁନ୍ଦ ନରୱଣେ ମଧ୍ୟ ସିଂହଙ୍କ ସହ ଗସ୍ତରେ ଅଛନ୍ତି। ଆସନ୍ତାକାଲି ସେ ଜମ୍ମୁ ଓ କଶ୍ମୀର ଗସ୍ତରେ ଯିବେ। ସ୍ପର୍ଶକାତର ସେକ୍ଟର୍‌ରେ ଭାରତ ଓ ଚୀନ୍ ସୈନିକମାନଙ୍କ ମଧ୍ୟରେ ସାମରିକ ଉତ୍ତେଜନା ଚାଲିଥିବା ବେଳେ ସିଂହ ଲେହରେ ପହଞ୍ଚିଛନ୍ତି। ପୂର୍ବ ଲଦାଖରୁ ସୈନ୍ୟ ଅପସାରଣ ନିମନ୍ତେ ଭାରତ ଓ ଚୀନ୍ ମଧ୍ୟରେ ଚାରି ଚାରି ଥର ଆଲୋଚନା ହୋଇସାରିଛି।

Related posts