ହାଇକୋର୍ଟଙ୍କ ରାୟକୁ ଅପେକ୍ଷା କର: ସୁପ୍ରିମ କୋର୍ଟ

Published: Jul 23, 2020, 3:12 pm IST

ନୂଆଦିଲ୍ଲୀ: ରାଜସ୍ଥାନ ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ସ୍ଥଗିତାଦେଶ ଦେବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି । ହାଇକୋର୍ଟର ରାୟ ଆସିବା ପରେ ଆସନ୍ତା ସୋମବାର ଏହାର ଶୁଣାଣି କରିବାକୁ ସର୍ବୋଚ୍ଚ ଅଦାଲତ ଦିନ ଧାର୍ଯ୍ୟ କରିଛନ୍ତି। ସେହିପରି ବିଧାୟକମାନେ ଲୋକଙ୍କ ଦ୍ବାରା ନିର୍ବାଚିତ ହୋଇଛନ୍ତି । ତେଣୁ ସେମାନଙ୍କ ଅସନ୍ତୋଷର କଣ୍ଠରୋଧ କରାଯାଇପାରିବ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ।

ରାଜସ୍ଥାନ ବାଚସ୍ପତିଙ୍କ ଏସଏଲପି ଉପରେ ଶୁଣାଣି ସମୟରେ ସୁପ୍ରିମକୋର୍ଟ ଏହା କହିଛନ୍ତି । ଏହାସହ ହାଇକୋର୍ଟର ରାୟ ଆସିବାକୁ ମାତ୍ର ଗୋଟିଏ ଦିନ ହିଁ ରହିଛି ଆପଣ କାହିଁକି ଅପେକ୍ଷା କରୁନାହାଁନ୍ତି ବୋଲି ମଧ୍ୟ ବାଚସ୍ପତିଙ୍କ ପକ୍ଷରୁ ମାମଲା ଲଢୁଥିବା ଆଇନଜୀବୀ କପିଲ ସିବଲଙ୍କୁ ପ୍ରଶ୍ନ କରିଛନ୍ତି । ସୂଚନାଥାଉକି, ମଙ୍ଗଳବାର ବିଦ୍ରୋହୀ ବିଧାୟକଙ୍କ ଉପରେ 24 ତାରିଖ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ବାଚସ୍ପତି ସିପି ଜୋଶୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ରାଜସ୍ଥାନ ହାଇକୋର୍ଟ ।

ତେବେ ବାଚସ୍ପତିଙ୍କ କ୍ଷମତାରେ ଅଦାଲତ ହସ୍ତକ୍ଷେପ କରିବା ବିରୋଧରେ ବାଚସ୍ପତି ସିପି ଜୋଶୀ ସୁପ୍ରିକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟର ବିଚାରପତି ଅରୁଣ ମିଶ୍ର, ବିଚାରପତି ବି ଆର ଗବୈଇ ଓ ବିଚାରପତି କୃଷ୍ଣ ମୁରାରୀଙ୍କ 3 ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରୁଛନ୍ତି । ବାଚସ୍ପତିଙ୍କ ମାମଲାରେ ହାଇକୋର୍ଟଙ୍କ ହସ୍ତକ୍ଷେପ ବିରୋଧରେ ସୁପ୍ରିମକୋର୍ଟରେ ଏସଏଲପି ଦାଖଲ କରିଛନ୍ତି ।

କଂଗ୍ରେସ ଦଳର ହ୍ବିପ ସତ୍ତ୍ବେ ସଚିନ ପାଇଲଟଙ୍କ ସମେତ 19 ବିଧାୟକ କଂଗ୍ରେସ ବିଧାୟକ ଦଳ ବୈଠକରେ ଯୋଗ ଦେଇନଥିଲେ । ଯେଉଁଥିଲାଗି ମୁଖ୍ୟ ସଚେତକଙ୍କ ଆବେଦନ ଉପରେ ବାଚସ୍ପତି ଏମାନଙ୍କୁ କାରଣ ଦର୍ଶାଅ ନୋଟିସ ପଠାଇଥିଲେ । ଯାହାକୁ ବିରୋଧ କରି ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ ସଚିନ ପାଇଲଟଙ୍କ ସମେତ 19 ବିଧାୟକ ।

Related posts