
ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ଆଜି ପୁଣି ୧୨ କରୋନା ପଜିଟିଭ ରିପୋର୍ଟ ଆସିଥିବା ବେଳେ ଜିଲ୍ଲାପ୍ରଶାସନ ପକ୍ଷରୁ ଭବାନୀପାଟଣା ସହରକୁ ରବିବାର ମଧ୍ୟରାତ୍ର ପର୍ଯ୍ୟନ୍ତ ସଟଡାଉନ କରାଯାଇଥିବା ସୂଚନା ମିଳିଛି। ଦଶ ଜଣ କରୋନା ଯୋଦ୍ଧାଙ୍କ ପଜିଟିଭ ବାହାରିଥିବା ବେଳେ ଅଧିକ ପରୀକ୍ଷଣ ଚାଲିଥିବା ଜଣାପଡିଛି। ସଂପୃକ୍ତ କରୋନା ଯୋଦ୍ଧା ମାନେ ଟାଉନଥାନାରୁ ଜଣେ ଏବଂ ୯ ଜଣ ପୋଲିସ ବେରେକରୁ ବୋଲିି ଏକ ବେସରକାରୀ ସୂତ୍ରରୁ ଜଣାପଡିଛି। ନର୍ଲା ବ୍ଲକ ଅନ୍ତର୍ଗତ ରେକପୁର ଗ୍ରାମର ଜଣେ ସଂକ୍ରମଣ ହୋଇଥିବା ବେଳେ ଆର ଜଣକ ବରଗଡସ୍ଥିତ ଏକ ପ୍ରାଇଭେଟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା କୁହାଯାଇଛି। ସମସ୍ତଙ୍କୁ କୋଭିଡ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି।
ଭବାନୀପାଟଣା ସହର ମଧ୍ୟରେ ଘରକୁ ଘର ବୁଲି କରୋନା ଲକ୍ଷଣ ପରୀକ୍ଷା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଜିଲ୍ଲାପାଳ ଭବାନୀପାଟଣା ସହରକୁ ଆଦେଶ ନଂ.୯୭୦ ତା.୨୪.୦୭.୨୦୨୦ ଅନୁସାରେ ସଟଡାଉନ ଘୋଷଣା କରିଛନ୍ତି। କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ, ଡାକ୍ତରଖାନା ଏବଂ ଦାୟୀତ୍ୱରେ ଥିବା ପଦାଧିକାରୀଙ୍କୁ ବାଦ ଦିଆଯାଇଥିବା ପ୍ରକାଶ।
ଏଥିପୂର୍ବରୁ ଜୟପାଟଣା ବ୍ଲକର ମୁଖିଗୁଡା ଓ ବାନେର ପଂଚାୟତ ତଥା କଲମପୁର ବ୍ଲକର ବିଜମରା ଗ୍ରାମପଂଚାୟତକୁ ସଂପୃକ୍ତ ସରପଂଚମାନେ ସଟଡାଉନ ଘୋଷଣା କରିଥିବା ଜଣାପଡିଛି।
ଏଭଳି କ୍ରମାଗତ ଭାବେ ସଂକ୍ରମଣ ବୃଦ୍ଧି ପାଉଥିବା ଘଟଣାକୁ ଦୃଷ୍ଟିରେ ରଖି ଅନ୍ୟ ହଟ ସ୍ପଟ ଜିଲ୍ଲାରୁ କଳାହାଣ୍ଡିକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ୧୪ ଦିନ ପାଇଁ କ୍ୱାରେନଟାଇନରେ ରହିବା ବାଧ୍ୟତା ମୂଳକ ବୋଲି ପୂର୍ବରୁ କଳାହାଣ୍ଡି ଜିଲ୍ଲାପାଳ କଡା ନିର୍ଦ୍ଦେଶ ଜାରି କରିଥିଲେ। ସେଥିପାଇଁ ସଂପୃକ୍ତ କୋଭିଡ ପରିଚାଳନା କମିଟୀ, ଗ୍ରାମପଂଚାୟତ ନୋଡାଲ ଅଧିକାରୀ ତଥା ସରପଂଚ ମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶାନାମାରେ କୁହାଯାଇଛି। ସେହିପରି ଜନସାଧାରଣଙ୍କ ଭିଡ ହେଉଥିବା ଦୃଷ୍ଟିରୁ ଜିଲ୍ଲାସାରା ସମସ୍ତ ସାପ୍ତାହିକ ବଜାରକୁ ମଧ୍ୟ ବାରଣ କରାଯାଇଛି।