ପ୍ରାର୍ଥୀ ତାଲିକା ପ୍ରକାଶ ପରେ ବିଜେଡ଼ିରେ ଘନଉଛି ଅସନ୍ତୋଷ

Published: Mar 19, 2019, 6:39 pm IST

ଗତକାଲି ବିଜେଡ଼ିର ୯ଟି ଲୋକସଭା ଆସନ ଓ ୫୪ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ପତ୍ର ଘୋଷଣା କରିବା ପରେ ଏବେ ଦଳ ଭିତରେ ଅସନ୍ତୋଷ ଦେଖାଦେଇଛି। ୯ଟି ଲୋକସଭା ଆସନରେ ୮ଟି ବିଧାନସଭାରେ ନୂଆ ମୁହଁକୁ ସ୍ଥାନ ଦିଆଯାଇଥିବାବେଳେ କେବଳ ବଲାଙ୍ଗିର ଲୋକସଭା ଆସନରେ କଳିକେଶ ସିଂହଦେଓଙ୍କୁ ଟିକେଟ ଦିଆଯାଇଛି। ଏହାକୁ ନେଇ ଏବେ ଦଳ ଭିତରେ ଅସନ୍ତୋଷ ଦେଖାଦେଇଛି। କନ୍ଧମାଳ ଲୋକସଭା ଆସନରୁ ଅଚ୍ୟୁତ ସାମନ୍ତଙ୍କୁ ପ୍ରାର୍ଥୀ କରାଯିବା ପରେ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ବରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେହିପରି  କଳାହାଣ୍ଡି ସାଂସଦ ଅର୍କ କେଶରୀଙ୍କ ସ୍ଥାନରେ ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ଟିକେଟ୍‌ ମିଳିବା ପରେ ସେ ଦଳୀୟ ମୁଖ୍ୟଙ୍କ ପ୍ରତି ଅସନ୍ତୋଷ ଜାହିର୍‌ କରିଛନ୍ତି। ସେହିପରି ଆଜି କୁସୁମ ଟେଟେ ଟିକେଟ ନ ପାଇବା କ୍ଷୋଭରେ ବିଜେଡ଼ିରୁ ଇସ୍ତଫା ଦେଇଥିବାବେଳେ କଳାହାଣ୍ଡିର ବିଜେଡ଼ିର ସାଧାରଣ ସମ୍ପାଦକ ଥିବା ପ୍ରମୋଦ ପଟ୍ଟନାୟକ ମଧ୍ୟ ଇସ୍ତଫା ଦେଇଛନ୍ତି। ସେ କଳାହାଣ୍ଡି ଜିଲ୍ଲା ବିଜେଡିର ସାଧାରଣ ସଂପାଦକ ପଦରେ ଥିଲେ। ଜୁନାଗଡ଼ ବିଧାନସଭା ଆସନରୁ ଦିବ୍ୟଶଙ୍କର ମିଶ୍ରଙ୍କୁ ପ୍ରାର୍ଥୀ କରାଯିବାକୁ ନେଇ ସେ ଅସନ୍ତୋଷ ହୋଇ ଇସ୍ତଫା ଦେଇଛନ୍ତି। ୨୦୧୯ରେ ପ୍ରମୋଦ ଟିକେଟ ମିଳିବା ନେଇ ବହୁତ ଆଶାୟୀ ଥିଲେ, କିନ୍ତୁ ଶେଷ ମୁହୂର୍ତ୍ତରେ ତାଙ୍କୁ ଟିକେଟ ନ ମିଳିବା ପରେ ସେ ଦଳୀୟ ସଭାପତିଙ୍କ ପ୍ରତି କ୍ଷୋଭ ପ୍ରକାଶ କରିଛନ୍ତି। ସେହିପରି ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ କେ. ନାରାୟଣ ରାଓ ମଧ୍ୟ ଆଜି ଦଳରୁ ଇସ୍ତଫା ଦେଇଛନ୍ତି। ପାରଳାଖେମୁଣ୍ଡି ବିଧାନସଭା ଆସନ ପାଇଁ ତାଙ୍କୁ ଟିକେଟ ନ ମିଳିବା ପରେ ସେ ବିଜେଡ଼ି ସୁପ୍ରିମୋଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଛନ୍ତି।

Related posts