ଭୁବନେଶ୍ବର : କରୋନା ସଙ୍କଟ ସମୟରେ ସବୁ ପୂଜା ପର୍ବ ଉପରେ କଟକଣା ଲାଗିଛି । ଦ୍ବୈତନଗରୀରେ କୋଭିଡ କଟକଣା ଭିତରେ ପୂଜା କରାଯିବ ବୋଲି ସୂଚନା ରହିଛି । ଭୁବନେଶ୍ବରରେ ଆଡମ୍ବରଶୂନ୍ୟ ପୂଜା କରିବାକୁ ନିଷ୍ପତ୍ତି ନିଆଯାଇଛି । ବିଭିନ୍ନ ପୂଜା କମିଟି ସହ ପୋଲିସ୍ କମିଶନରଙ୍କ ବୈଠକରେ ନିଷ୍ପତ୍ତି ନିଆଯାଇଛି । ପୂଜାରେ ତୋରଣ ଓ ଆଲୋକମାଳା ଲାଗିବନି, ମାଇକ୍ବାଜିବନି । କେବଳ ମନ୍ତ୍ରପାଠ ଲାଗି ମାଇକ୍ ବାଜିବ କି ନାହିଁ ବିଚାର କରାଯିବ । ସେହିପରି ପୂଜା କମିଟିର ମାତ୍ର 10ଜଣ ସଦସ୍ୟଙ୍କୁ ନେଇ ପୂଜା କରାଯିବ । ଘର ଘର ବୁଲି ଚାନ୍ଦା ଆଦାୟ କରାଯିବନି, ସ୍ବଇଚ୍ଛାରେ ଯିଏ ଯାହା ଦେବ ବୋଲି ସୂଚନା ରହିଛି । ଲୋକେ ମଣ୍ଡପକୁ ନ ଆସି, ଘରେ ରହି ପୂଜା ପାଳନ କରିବେ । ମୂର୍ତ୍ତିର ଉଚ୍ଚତା 4ରୁ 5 ଫୁଟ ମଧ୍ୟରେ ରହିବ, ନିର୍ଦ୍ଦିଷ୍ଟ ଉଚ୍ଚତା ହେବ । ରାବଣ ପୋଡି ହେବ ନାହିଁ କି ଭସାଣ ଉତ୍ସବ ମଧ୍ୟ କରାଯିବ ନାହିଁ । କେବଳ ମୂର୍ତ୍ତି ବିସର୍ଜନ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି ।
ଭୁବନେଶ୍ୱରରେ ଦୁର୍ଗାପୂଜା ଆୟୋଜନକୁ ନେଇ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ କମିଟି ସଦସ୍ୟଙ୍କ ସହ କମିଶନରେଟ ପୋଲିସର ବୈଠକ ହୋଇଥିଲା । । କୋଭିଡ ନିୟମ ମାନି ପୂଜା କିଭଳି ହେବ ସେ ନେଇ ଆୟୋଜିତ ବୈଠକରେ ଆଲୋଚନା କରାଯାଇଛି । ଅତିରିକ୍ତ ସିପିଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିବା ବେଳେ ମନ୍ତ୍ରୀ ଅଶୋକ ପଣ୍ଡା ଉପସ୍ଥିତ ରହିଥିଲେ ।
ଅପରପକ୍ଷରେ କଟକର ବାଲୁବଜାର ପୂଜା ମଣ୍ଡପକୁ ଦୁର୍ଗାପୂଜା ଆୟୋଜନ ଅନୁମତି ମିଳିଛି । କୋଭିଡ ନିୟମ ମାନି ପୂଜା ଆୟୋଜନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ଅଳ୍ପ ସଂଖ୍ୟକ ଲୋକରେ ମଣ୍ଡପରେ ଦୁର୍ଗାପୂଜା ହେବ । ମଣ୍ଡପରେ ପୂଜା ଆୟୋଜନ ପାଇଁ କମିଟି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ।