ଭୁବନେଶ୍ବର : ଗତକାଲି ଅଭିନେତା ତଥା ଅନୁଭବଙ୍କ ବିରୋଧରେ ବର୍ଷା କୋର୍ଟରେ ଦାଖଲ କରିଥିବା ପିଟିସନ ସାମ୍ନାକୁ ଆସିଥିଲା । ଆଜି ବର୍ଷାଙ୍କ ବିରୋଧରେ ଅନୁଭବ ଦାଖଲ କରିଥିବା ପିଟିସନ୍ ସାମ୍ନାକୁ ଆସିଛି। ବର୍ଷାଙ୍କ ବିରୋଧରେ ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟରେ ଅନୁଭବ ମହାନ୍ତିଙ୍କ ପିଟିସନ୍ ଦାଖଲ କରିଛନ୍ତି। ସେ ଛାଡ଼ପତ୍ର ପିଟିସନ୍ ଦାଖଲ କରିଛନ୍ତି।
47 ପୃଷ୍ଠାର ପିଟିସନ୍ରେ ପତ୍ନୀ ବର୍ଷାଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଆଣିଛନ୍ତି ଅନୁଭବ। ଶାରୀରିକ ସମ୍ପର୍କ ପାଇଁ ବର୍ଷା ରାଜି ହେଉନଥିବା ସେ ପିଟିସନ୍ରେ ଉଲ୍ଲେଖ କରିଛନ୍ତି। ଶାରୀରିକ ସଂପର୍କ ସ୍ଥାପନ ନ ହେବାରୁ ଅସହଜ, ଅସୁଖୀ ମନେ କରୁଥିଲି ବୋଲି ଅନୁଭବ ଏଥିରେ ଦର୍ଶାଇଛନ୍ତି।
ଅନୁଭବ ଏଥିରେ ଆହୁରି ଉଲ୍ଲେଖ କରିଛନ୍ତି ଯେ, ବାହାଘରର ପ୍ରଥମ ଦିନରୁ ସଂପର୍କ ରଖିବାକୁ ବର୍ଷା ଅରାଜି ଥିଲେ। ଶାରୀରିକ ସଂପର୍କ ରଖିବାକୁ ବର୍ଷା 3/4 ମାସ ସମୟ ମାଗିଥିଲେ। ସେ ବର୍ଷାଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ସମୟ ଦେଇଥିଲେ ବୋଲି ଏଥିରେ ଉଲ୍ଲେଖ ରହିଛି ।
ବର୍ଷା ଶାଶୁ ଘରେ ନ ରହି ଅଧିକାଂଶ ସମୟ ବାପଘରେ ରହୁଥିଲେ । ଅଧିକାଂଶ ସମୟରେ ବାପଘରକୁ ଯିବା ପାଇଁ ବାହନା ଖୋଜୁଥିଲେ ବୋଲି ଅଭିଯୋଗ କରିଛନ୍ତି ଅନୁଭବ । ଏପରିକି ଶାଶୁଘର ଖାଦ୍ୟ ମଧ୍ୟ ବର୍ଷା ପସନ୍ଦ କରୁନଥିବାର ଉଲ୍ଲେଖ ରହିଛି ଏହି ପିଟିସନ୍ରେ । ଜଣେ ସଫଳ ବୋହୂ ଓ ପତ୍ନୀ ହେବାରେ ବର୍ଷା ବିଫଳ ହୋଇଥିବାର ଉଲ୍ଲେଖ ରହିଛି ଏହି ପିଟିସନ୍ରେ । 2019 ମେ 1ରୁ ଦୁହେଁ ଅଲଗା ରହୁଥିବାର ମଧ୍ୟ ଏହି ପିଟିସନ୍ରେ ଉଲ୍ଲେଖ ରହିଛି । ବର୍ଷାଙ୍କ ସହ ରହିବାକୁ ଅନିଚ୍ଛା ପ୍ରକାଶ କରିଥିବାର ଏହି ପିଟିସନ୍ରେ ଉଲ୍ଲେଖ ରହିଛି ।
ସେହିପରି ସହଅଭିନେତ୍ରୀଙ୍କ ସହ ଅନୁଭବଙ୍କର ସମ୍ପର୍କ ରହିଥିବାର ବର୍ଷା ମିଥ୍ୟାଭିଯୋଗ କରୁଥିଲେ ବୋଲି ଏହି ପିଟିସନ୍ରେ ଉଲ୍ଲେଖ ରହିଛି । ମିଥ୍ୟା କେସ୍ରେ ଫସାଇବାକୁ ତାଙ୍କୁ ଓ ତାଙ୍କ ପରିବାରକୁ ଫସାଇବାର ଧମକ ଦେଉଥିଲେ ବୋଲି ମଧ୍ୟ ଏହି ପିଟିସନ୍ରେ ଉଲ୍ଲେଖ ରହିଛି । ବର୍ଷା କେବେ ବୈବାହିକ ସୁଖ ଦେଇନଥିଲେ ବୋଲି ଏହି ପିଟିସନ୍ରେ ଉଲ୍ଲେଖ ରହିଛି ।