ରମେଶ ମହାନ୍ତି
ଜଗତସିଂହପୁର:- ଦୃତ ଗତିରେ ବୃଦ୍ଧି ପାଉଥିବା କରୋନା ମହାମାରୀ ପ୍ରଭାବରେ ଦେଶରେ ହାହାକାର ପଡିଥିବା ବେଳେ ଆଜି ପର୍ଯ୍ୟନ୍ତ ଏହି ମହାମାରୀର କୈଣସି ଔଷଧ ନ ବାହାରିବା ସାଧାରଣରେ ଚିନ୍ତାର କାରଣ ହୋଇଛି ।ଏହି ମହାମାରୀରୁ ନିଜକୁ ସୁରକ୍ଷିତ ରଖିବାକୁ ହେଲେ ସାମାଜିକ ଦୂରତ୍ବ ରକ୍ଷା କରିବା ସହିତ ହାତକୁ ବାରମ୍ବାର ଧୋଇବା ଓ ହାତକୁ ସାନିଟାଇଜର କରି ମୁହଁରେ ମାସ୍କ ବାନ୍ଧିବା ଆବଶ୍ୟକ ବୋଲି ସରକାରଙ୍କ ପକ୍ଷରୁ ବିଭିନ୍ନ ଉପାୟରେ ବାରମ୍ବାର ସଚେତନତା ସୃଷ୍ଟି କରାଯାଉଛି । ବନ୍ଦ ହୋଇଥିବା ବିଦ୍ୟାଳୟ ଗୁଡିକ ଖୋଲିଲେ ଛାତ୍ରଛାତ୍ରୀମାନଙ୍କୁ ଜୀବାଣୁମୁକ୍ତ କରିବାକୁ ଏକ ଅଭିନବ ଯୋଜନା ପ୍ରସ୍ତୁତ କରିଛନ୍ତି ଜଗତସିଂପୁରର ଶୁଭ୍ରଜ୍ୟୋତି ମହାନ୍ତି।
ପୁରୀ ଘନଶ୍ୟାମ ହେମଲତା ବିଦ୍ୟାମନ୍ଦିରର ୧୦ମ ଶ୍ରେଣୀର ଛାତ୍ର ଶୁଭ୍ରଜ୍ୟୋତି ଦେଢବର୍ଷ ତଳେ ନିଜ ସାଇକେଲକୁ ଘଣ୍ଟାକୁ ୨୦ କିମି ବେଗରେ ବାଇକ୍ ର ପୁରୁଣା ବ୍ୟାଟେରୀ ଦ୍ୱାରା ଚଳାଇ ଚର୍ଚ୍ଚାରେ ରହିଥିଲେ। ଏବେ ପୁଣି କରୋନା ମହାମାରୀକୁ ଦୃଷ୍ଟିରେ ରଖି ପ୍ୟାଡେଲ ସାନିଟାଇଜର ଷ୍ଟାଣ୍ଡ , ମୋଟା ଜରିରେ ମାସ୍କ ତିଆରି କରିବା ସହିତ ପରେ ଆଇ.ଆର ସେନସର ବ୍ୟବହାର କରି ଅଟୋମେଟିକ ଇନ୍ ଡୋର ସାନିଟାଇଜର ମେସିନ ତିଆରି କରି ଚର୍ଚ୍ଚାରେ ରହିଛନ୍ତି। ଯାହାକି ମୋବାଇଲ ଚାର୍ଚ୍ଚରରେ ଚାର୍ଚ୍ଚ ହୋଇ ପାରିବ।ଏଥିସହିତ ପ୍ୟାଡେଲ ହ୍ୟାଣ୍ଡ ସାନିଟାଇଜର ଷ୍ଟାଣ୍ଡ ଛଅ ପ୍ରକାରର କରିଛନ୍ତି । ଏହି ଷ୍ଟାଣ୍ଡ ଗୁଡିକ ତିଆରି କଲେ ୪୫୦ ଟଙ୍କାରୁ ୧୦୦ ଟଙ୍କା ଭିତରେ ଖର୍ଚ୍ଚ ହେବ । ଏହି ଷ୍ଟାଣ୍ଡ ମାଧ୍ୟମରେ ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ହାତ ଧୋଇବାକୁ ତରଳ ସାବୁନ ସହିତ ହାତ ସାନିଟାଇଜର କରିପାରିବେ।ଏମିତିକି ଶୁଭ୍ରଜ୍ୟୋତି ନିଜ ଘରର ପ୍ରବେଶ ଦ୍ବାର ନିକଟରେ ହାତ ଧୋଇବାକୁ ଓ ହାତ ସାନିଟାଇଜର କରିବାକୁ ଦୁଇଟି ପ୍ୟାଡେଲ ହ୍ୟାଣ୍ଡ ସାନିଟାଇଜର ଷ୍ଟାଣ୍ଡ ଲଗାଇଛନ୍ତି । ଯାହାକି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି । ପ୍ରଥମେ ତିଆରି କରିଥିବା ପ୍ୟାଡେଲ ହ୍ୟାଣ୍ଡ ସାନିଟାଇଜର ଷ୍ଟାଣ୍ଡକୁ ନିଜ ବିଦ୍ୟାଳୟର ନିର୍ଦ୍ଦେଶକ ତନ୍ମୟ ଜେନାଙ୍କୁ ଉପହାର ଭାବରେ ପ୍ରଦାନ କରିଛନ୍ତି ।
ଏଥିସହିତ ଲକ୍ ଡାଉନ ସମୟରେ ଘରେ ଥିବା ମଲାଟ ପାଇଁ ମୋଟା ଜରି , ଫିତା ଓ ଅଠା ବ୍ୟବହାର କରି ମାସ୍କ ତିଆରି କରିବା ସହ ୧୫ ଟଙ୍କାରେ ଏହି ମାସ୍କ ତିଆରି କରାଯାଇ ପାରିବ ବୋଲି ପ୍ରକାଶ କରିଛନ୍ତି । ଲକ୍ ଡାଉନ ପାଇଁ ଆବଶ୍ୟକ ସାମଗ୍ରୀ ନମିଳିବାରୁ ଉନ୍ନତଧରଣର ମାସ୍କ କରିପାରି ନାହାନ୍ତି ବୋଲି କହିଥିଲେ।
ଶୁଭ୍ରଜ୍ୟୋତିଙ୍କ ଘର ଜଗତସିଂହପୁର ପୈାରାଞ୍ଚଳର ୨୧ ନଂ ୱାର୍ଡର ବାଗସାହି ଗ୍ରାମରେ ହୋଇଥିବା ବେଳେ ମା’ ସସ୍ମିନା କୁମାରୀ ଦାସ ଓ ବାପା ରଂଜନ କୁମାର ମହାନ୍ତି ସରକାରୀ ବିଦ୍ୟାଳୟରେ ଶିକ୍ଷକତା କରନ୍ତି ଏବଂ ବଡଭାଇ ଦିବ୍ୟଜ୍ୟୋତି ଓୟୂଟିର କୃଷିବୈଷୟକ ବିଦ୍ୟାଳୟର ଚତୁର୍ଥ ବର୍ଷର ଛାତ୍ର ଅଟନ୍ତି ।
ପ୍ରକାଶଥାଉ କି ଶୁଭ୍ରଜ୍ୟୋତି ଦେଢ ବର୍ଷ ତଳେ ନିଜ ସାଇକେଲକୁ ବ୍ୟାଟେରୀ ଦ୍ବାରା ଚଳାଇ ଚର୍ଚ୍ଚାରେ ଥିଲେ ।ବାଇକ୍ ର ପୁରୁଣା ବ୍ୟାଟେରୀ ଦ୍ୱାରା ପ୍ରସ୍ତୁତ ଏହି ବ୍ୟାଟେରୀ ଚାଳିତ ସାଇକେଲ ଘଣ୍ଟାକୁ ୨୦ କିମି ବେଗରେ ଗତି କରିପାରୁଥିଲା ।