ଭୁବନେଶ୍ୱର: ବିଜେପି ଓ ବିଜେଡି ସହ ଲଢେଇ ଜାରି ରଖିବ କଂଗ୍ରେସ । ରାଜ୍ୟରେ ବିଜେପି ଓ ବିଜେଡ଼ି ମିଳିମିଶି ରହିଛନ୍ତି । ଉଭୟ ଦଳ ସହ ଆମର ଲଢେଇ ଜାରି ରହିବ ବୋଲି କହିଛନ୍ତି କଂଗ୍ରେସ ନେତା ଭକ୍ତଚରଣ ଦାସ । ମିଜୋରାମ ଓ ମଣିପୁର ପ୍ରଭାରୀ ନିଯୁକ୍ତ ହେବା ପରେ ଶ୍ରୀ ଦାସ ନିଜ ପ୍ରତିକ୍ରିୟାରେ ଏହା କହିଛନ୍ତି । ସେ କହିଛନ୍ତି ଯେ, କଂଗ୍ରେସ ସଂଗଠନ ମଜଭୁତ କରିବାକୁ ନୂଆ ପ୍ରଭାରୀଙ୍କ ସହ କାମ କରାଯିବ। ନୂଆ ପ୍ରଭାରୀ ଚେଲ୍ଲାକୁମାର ଜଣେ ନିଷ୍ଠାବାନ କର୍ମୀ । ସେ କାହା ଦ୍ୱାରା ପ୍ରଭାବିତ ହୁଅନ୍ତିନି । ପୂର୍ବରୁ ଅନେକ ପ୍ରଦେଶର ଦାୟିତ୍ୱ ମୋତେ ମିଳିଥିଲା । ଅଭିଜ୍ଞତା କାମରେ ଲଗାଇବି ବୋଲି ସେ କହିଛନ୍ତି । ଏହାଛଡ଼ା ସିଡବ୍ଲୁ୍ୟସିରେ ସ୍ଥାନ ମିଳିଥିବା ସେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହା ଦ୍ୱାରା ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଭୋଟ ପ୍ରତିଶତ ବଢିବ ବୋଲି ଭକ୍ତଚରଣ ଦାସ କହିଛନ୍ତି ।
ପ୍ରକାଶ ଯେ, କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧୀ ଗତକାଲି ଦଳୀୟ ସଂଗଠନରେ ବଡ଼ ଧରଣର ପୁନର୍ବିନ୍ୟାସ କରିଥିଲେ । ଓଡ଼ିଶା ପ୍ରଭାରୀ ଥିବା ଦଳର ସାଧାରଣ ସମ୍ପାଦକ ଜିତେନ୍ଦ୍ର ସିଂହଙ୍କୁ ବଦଳରେ ସାଂସଦ ଡ. ଚେଲ୍ଲା କୁମାରଙ୍କୁ ଏହି ଗୁରୁ ଦାୟିତ୍ୱ ଦିଆଯାଇଛି ।