ପୂର୍ବତନ ଜେଏନୟୁ ଛାତ୍ର ଉମର ଖାଲିଦ ଗିରଫ

Published: Sep 14, 2020, 10:33 am IST

ନୂଆଦିଲ୍ଲୀ : ସିଏଏ ବିରୋଧୀ ଆନ୍ଦୋଳନ ସମୟରେ ଦିଲ୍ଲୀରେ ଘଟିଥିବା ହିଂସାକାଣ୍ଡ ପାଇଁ ଦିଲ୍ଲୀ ପୋଲିସ ପୂର୍ବତନ ଜେଏନୟୁ ଛାତ୍ର ଉମର ଖାଲିଦକୁ ଗିରଫ କରିଛି । ଉତ୍ତରପୂର୍ବ ଦିଲ୍ଲୀରେ ହୋଇଥିବା ଦଙ୍ଗାରେ ଉମର ଖାଲିଦର ଭୂମିକା ପାଇଁ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ ଗିରଫ କରିଛି । ରବିବାର ଦିନ ଖାଲିଦକୁ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ ପକ୍ଷରୁ ପ୍ରାୟ 9 ଘଣ୍ଟା ଧରି ପଚରା ଉଚୁରା କରାଯାଇଥିଲା। ଏହାପରେ ରାତି 11ଟାରେ ଦିଲ୍ଲୀ ପୋଲିସ ପକ୍ଷରୁ ତାକୁ ଗିରଫ କରାଯାଇଥିଲା । ୟୁଏପିଏ ଆକ୍ଟ ଆଧାରରେ ଖାଲିଦକୁ ଗିରଫ କରାଯାଇଛି ।

ପୂର୍ବରୁ ସେପ୍ଟେମ୍ବର 2 ତାରିଖରେ ଖାଲିଦକୁ ପଚରାଉଚୁରା କରାଯିବା ସହିତ ତା’ର ମୋବାଇଲକୁ ଜବତ କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ, ଫେବୃୟାରୀ 24-26 ମଧ୍ୟରେ ଅନୁଷ୍ଠିତ ହିଂସାକାଣ୍ଡରେ 53ଜଣଙ୍କ ପ୍ରାଣହାନି ଘଟିବା ସହିତ 581 ଜଣ ଆହତ ହୋଇଥିଲେ । ଏହି ଘଟଣାରେ ଖାଲିଦ ବ୍ୟତୀତ ମିରନ ହାଇଦର, ସଫୁରା ଜର୍ଗର ଏବଂ ଦାନିଶ ନାମକ ବ୍ୟକ୍ତି ବିରୋଧରେ ମାମଲା ରୁଜୁ କରାଯାଇଛି । ଦିଲ୍ଲୀ ଦଙ୍ଗା ପାଇଁ 751ଟି ମାମଲା ରୁଜୁ କରାଯାଇ 1575 ଜଣଙ୍କୁ ଗିରଫ କରାଯାଇଛି । ସ୍ୱତନ୍ତ୍ର ସେଲ ପକ୍ଷରୁ ଏହି ମାମଲାରେ 250ଟି ଚାର୍ଜସିଟରେ 1153 ଜଣଙ୍କ ନାମ ଉଲ୍ଲେଖ କରାଯାଇଛି । (ଏଜେନ୍ସି)

Related posts