
ଆସାମ : ଆସାମର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନାଓ୍ବାଲ୍ 12 ହଜାର ଘୁଷୁରୀଙ୍କୁ ମାରିବାକୁ ଆଦେଶ ଦେଇଛନ୍ତି । ତେବେ ଏହି ଆଦେଶ ଦେବା ପଛରେ ରହିଛି ଆଫ୍ରିକି ସ୍ବାଇନ୍ (ଫ୍ଲୁ) ଜ୍ବର । ଆଫ୍ରିକୀ ସ୍ବାଇନ୍ ଜ୍ବର ଦ୍ବାରା ପ୍ରଭାବିତ ହୋଇଥିବା ଅଞ୍ଚଳରେ ପ୍ରାୟ 12ହଜାରର ଘୁଷୁରୀଙ୍କୁ ଅକ୍ଟୋବର ଶେଷ ସୁଦ୍ଧା ମାରିବାକୁ ଆଦେଶ ଦେଇଛନ୍ତି । କୋଭିଡ୍-19 ଲକ୍ଡାଉନ୍ ପୂର୍ବରୁ ଆସାମରେ ଘୁଷୁରୀ ପାଳନ କ୍ଷେତ୍ରଗୁଡିକ ପ୍ରଭାବିତ ରହିଥିଲା । ରାଜ୍ୟରେ ଆଫ୍ରିକୀ ସ୍ବାଇନ୍ ଜ୍ବର ଯୋଗୁଁ 18,000 ଘୁଷରୀଙ୍କର ମୃତ୍ୟୁ ହୋଇଛି । ପୂର୍ବରୁ ଏପରି ମାମଲା ମେ’ ମାସରେ ଦେଖାଦେଇଥିଲା ।
ତେବେ ଏହି ବେମାରୀ ଯୋଗୁଁ ପ୍ରାୟ 1 ଲକ୍ଷ ଘୁଷରୀଙ୍କ ମୃତ୍ୟୁ ହୋଇଥିବାର କହିଛନ୍ତି ଘୁଷରୀ ଫାର୍ମର ମାଲିକ । ଏନେଇ ସରକାରଙ୍କ ତରଫରୁ କୌଣସି ସାହାଯ୍ୟ ମିଳୁନଥିବାର ଅଭିଯୋଗ କରିଛନ୍ତି ଘୁଷୁରୀ ଫାର୍ମର ମାଲିକ ।
ଓ୍ବାଲର୍ଡ ଅର୍ଗାନାଇଜେସନ୍ ଫର୍ ଏନିମେଲ ହେଲ୍ଥ ଅନୁସାରେ ଏଏସ୍ଏଫ୍ ଏକ ଗମ୍ଭୀର ରୋଗ । ଉଭୟ ପାଳିତ ଓ ଜଙ୍ଗଲୀ ଘୁଷୁରୀମାନେ ପ୍ରଭାବିତ ହୋଇଥା’ନ୍ତି । ଏହି ବେମାରୀ ଘୁଷୁରୀଙ୍କଠାରୁ ମନୁଷ୍ୟଙ୍କ ନିକଟକୁ ବ୍ୟାପିଥାଏ । ଏତଦ୍ବ୍ୟତୀତ ଦୂଷିତ ଚାରା ତଥା ବସ୍ତୁତ ଯେପରିକି ଜୋତା, କପଡା, ବାହନ, ଛୁରୀ ମାଧ୍ୟମରେ ମଧ୍ୟ ଏହା ବ୍ୟାପିଥାଏ ।
ପ୍ରୋଟେକଲ୍ ଅନୁସାରେ ଯଦି ଏକ ଅଞ୍ଚଳରେ ମୃତ ଘୁଷୁରୀଙ୍କ ନମୁନାର ପରୀକ୍ଷଣ କରାଯାଇଥାଏ ଓ ଏହା ଏଏସ୍ଏଫ୍ ଦ୍ବାରା ସଂକ୍ରମିତ ହେବାର ଖବର ରହିଥାଏ, ତେବେ ସେହି ଅଞ୍ଚଳର ଚାରିଆଡେ ତଥା ଏକ କିମି ଭିତରେ ଥିବା ସମସ୍ତ ଅଞ୍ଚଳକୁ ଉପରୀକେନ୍ଦ୍ର ରୂପେ ଘୋଷିତ କରାଯାଇଥାଏ । ଏହି ଅଞ୍ଚଳରେ ଥିବା ସମସ୍ତ ଘୁଷୁରୀଙ୍କଠାରେ ମୋହର ଲଗାଯାଇ ତାଙ୍କୁ ମରାଯାଇଥାଏ ।
ସେହିପରି ଉପରିକେନ୍ଦ୍ରର ବାହାର 1 କିମି ଭିତରେ ଥିବା ଅଞ୍ଚଳକୁ ସର୍ଭେଲାନ୍ସ ଜୋନ୍ ଓ ଏହି ଅଞ୍ଚଳର 9 କିମି ଭିତରେ ଥିବା ଅଞ୍ଚଳକୁ ବଫର ଜୋନ୍ ଘୋଷଣା କରାଯାଇଥାଏ । ରାଜ୍ୟରେ 13ଟି ଜିଲ୍ଲାରେ 33ଟି ଉପରିକେନ୍ଦ୍ର ରହିଛି । ପଡୋଶୀ ରାଜ୍ୟ ମଧ୍ୟ ଆସାମର ଘୁଷୁରୀ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ରାଜ୍ୟରେ ପ୍ରାୟ 21 ଲକ୍ଷ ଘୁଷୁରୀ ରହିଛନ୍ତି । (ଏଜେନ୍ସି)