
ପାଟନା : ବିହାର ନିର୍ବାଚନୀ ବିଗୁଲ୍ ବାଜି ସାରିଛି । ସମସ୍ତ ଦଳ ନିଜ ନିଜ ସ୍ତରରେ ଶାସନ ହାତେଇବା ପାଇଁ ଅଣ୍ଟା ଭିଡି ସାରିଲେଣି । ବିହାର ବିଧାନସଭା ରାଜନୀତିରେ ଏବେ ଏକ ନୂଆ ନାମ ଚର୍ଚ୍ଚାକୁ ଆସିଛି । ଏହି ନାମଟି ହେଉଛି ପୁଷ୍ପ୍ୟମ୍ ପ୍ରିୟା ଚୌଧୁରୀ । ଛ’ ମାସ ପୂର୍ବରୁ କେହି ଏହି ନାଁକୁ ଜାଣିନଥିବାବେଳେ ଏବେ ରାଜ୍ୟରେ ସବୁଠୁ ଚର୍ଚ୍ଚିତ ନାମ ହେଉଛି ପୁଷ୍ୟମ୍ ପ୍ରିୟା ଚୌଧୁରୀ । ବିହାରର ରାଜନୈତିକ ସରଗରମ ଭିତରେ ଏବେ ଏକ ନୂଆ ଦଳ ‘ପ୍ଲୁରାଲ୍ସ’ ମୁଣ୍ଡ ଟେକିଛି । ବିହାରର ମୁ୍ଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ପୁଷ୍ପ୍ୟମ୍ ପ୍ରିୟା ଚୌଧୁରୀ ‘ପ୍ଲୁରାଲ୍ସ’ ଦଳ ତରଫରୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ଏଥିପାଇଁ ସେ ତୃଣମୂଳସ୍ତରରେ ମଧ୍ୟ ବହୁ କଡା ପରିଶ୍ରମ କରୁଛନ୍ତି ।
କିଏ ଏହି ପୁଷ୍ୟମ୍ ପ୍ରିୟା ଚୌଧୁରୀ ?
ଦରଭଙ୍ଗା ଜିଲ୍ଲା ନିବାସୀ ପୁଷ୍ୟମ୍ ଜେଡିୟୁ ନେତା ତଥା ପୂର୍ବତନ ଏମ୍ଏଲ୍ସି ବିନୋଦ ଚୌଧୁରୀଙ୍କ ପୁତ୍ରୀ ହେଉଛନ୍ତି ପୁଷ୍ୟମ୍ ପ୍ରିୟା ଚୌଧୁରୀ । ବିଶ୍ବ ପ୍ରସିଦ୍ଧ ଲଣ୍ଡନ ସ୍କୁଲ ଅଫ୍ ଇକ୍ନୋମିକ୍ସରୁ ପବ୍ଲିକ୍ ଆଡିମିନିଷ୍ଟ୍ରେସନ୍ରେ ମାଷ୍ଟର ଡିଗ୍ରୀ ହାସଲ କରି ସ୍ବଦେଶ ପ୍ରତ୍ୟାବର୍ତ୍ତନକରିଥିବା ପୁଷ୍ୟମ୍ ପ୍ରିୟା ପ୍ଲୁରାଲ୍ ଦଳର ସଭାପତି ରହିଛନ୍ତି । ତାଙ୍କଦଳର ଲୋଗୋ ରେ ରହିଛି ପକ୍ଷ ଥିବା ଏକ ଘୋଡା । ତାଙ୍କ ଲୋଗା ଜରିଆରେ ସେ ବିହାର ରାଜ୍ୟରେ ପକ୍ଷ ଲଗାଇ ବିକାଶର ଦୌଡ଼ରେ ଆଗେଇନେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।
ପୁ୍ଷ୍ୟମ୍ ପ୍ରିୟା ମାର୍ଚ୍ଚ ମାସରୁ ଜନସମ୍ପର୍କ ଅଭିଯାନ ଆରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ନୀତିଶଙ୍କ ଜିଲ୍ଲା ‘ନାଲନ୍ଦା’ରୁ ଜନସମ୍ପର୍କ ଅଭିଯାନ ଆରମ୍ଭ କରି ନିଜ ଦଳର ଆଭିମୁଖ୍ୟକୁ ସ୍ପଷ୍ଟ କରିଛନ୍ତି । ପୁଷ୍ୟମ୍ ପ୍ରିୟା ଲୋକଙ୍କ ସହ ସାକ୍ଷାତ କରି ସେହି ଅଞ୍ଚଳର ସ୍କୁଲ, ହସ୍ପିଟାଲ ଓ ରାସ୍ତା ସମ୍ପର୍କରେ ବୁଝୁଛନ୍ତି । ଦଳରେ ନୂତନସଦସ୍ୟତା ଗ୍ରହଣ କରୁଥିବାବେଳେ ଲୋକଙ୍କୁ ସାକ୍ଷାତ କରି ଦଳ ସମ୍ପର୍କରେ ସୂଚନା ପ୍ରଦାନ କରୁଛନ୍ତି ପୁଷ୍ୟମ୍ ପ୍ରିୟା ।
ଚଳିତ ନିର୍ବାଚନରେ ପୁଷ୍ୟମ୍ ପ୍ରିୟାଙ୍କ ଦଳ ସମସ୍ତ 243ଟି ଆସନରେ ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । କେବଳ ବିକାଶର ଲକ୍ଷ୍ୟ ନେଇ ଦଳ ନିର୍ବାଚନ ମଇଦାନକୁ ଓହ୍ଲାଇଛି ବୋଲି ଦଳ ତରଫରୁ ଘୋଷଣା କରାଯାଇଛି । (ଏଜେନ୍ସି)