ରମେଶ ମହାନ୍ତି
ଜଗତସିଂହପୁର : ତିର୍ତ୍ତୋଲ ଉପନିର୍ବାଚନର ସମୟ ଯେତିକି ପାଖେଇ ଆସୁଛି ଭୋଟ ହାତେଇବା ପାଇଁ କୁଜିନେତା ମାନଙ୍କର ଧାଁ ଧପଡ ସେତିକି ବଢିବାରେ ଲାଗିଛି। ହେଲେ ଭୁଲିଯାଉଛନ୍ତି ଲୋକଙ୍କ ସମସ୍ୟା ଏମିତିକି ପ୍ରଶାସନକୁ ଅଭିଯୋଗ କରିବା ପରେ ମଧ୍ୟ ଲୋକମାନେ ନିରାଶ ହୋଇଛନ୍ତି।
ତିର୍ତୋଲ ବ୍ଲକ ଅନ୍ତର୍ଗତ କନିମୁଳ ପଞ୍ଚାୟତ ସ୍ଥିତ ନାରିଜଙ୍ଗ ଗ୍ରାମର ଦଳିତ ସାହିରେ ଥିବା ସରକାରୀ ନଳକୂପଟି ଦୀର୍ଘ ୨୨ଦିନ ହେବ ଅଚଳହୋଇ ପଡିରହଛି। ଉକ୍ତ ସାହିର ଲୋକମାନେ ପିଇବାପାଣି ପାଇଁ ଏହି ନଳକୂପ ଉପରେ ନିର୍ଭର କରୁଥିବା ବେଳେ ଉକ୍ତ ନଳକୂପଟି ଦିର୍ଘଦିନ ହେବ ଅଚଳ ହୋଇ ପଡିଥିବାରୁ ପାଣି ଟୋପେ ପିଇବା ପାଇଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି।
ଅଭିଯୋଗ ଅନୁଯାୟୀ ଏହି ନଳକୂପଟିକୁ ସଜାଡିବା ପାଇଁ ପଞ୍ଚାୟତ ଠାରୁ ଆରମ୍ଭକରି ତିର୍ତ୍ତୋଲ ଆର୍.ଡବ୍ଲ୍ୟୁ. ଏସ୍.ଏସ୍ ଜେଇଙ୍କୁ ମଧ୍ୟ ବାରମ୍ବାର ଗୁହାରୀ କରି ନିରାଶ ହୋଇଛନ୍ତି ଲୋକମାନେ। ଏମିତିକି ଲୋକମାନେ ତିର୍ତ୍ତୋଲ ସ୍ଥିତ ଆର୍.ଡବ୍ଲୁ.ଏସ୍.ଏସ୍. କାର୍ଯ୍ୟାଳୟରେ ପହଞ୍ଚି ଜେଇଙ୍କୁ ଭେଟି ଉକ୍ତ ନଳକୂପ ଅଚଳ ହୋଇ ପଡିଥିବା ସମ୍ପର୍କରେ ଅବଗତ କରାଇବା ପରେ ବିଶ୍ୱକର୍ମା ପରେ ଉକ୍ତ ନଳକୂପକାର୍ଯ୍ୟ କରାଯିବ ବୋଲି ଜେଇ ଲୋକମାନଙ୍କୁ କହିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରୁ ନାହିଁ ବୋଲି ଅଭିଯୋଗ ହୋଇଛି।
କିଛି କୁଜିନେତାଙ୍କ ଇଶାରାରେ ଆକ୍ରୋଶ ମୂଳକ ଭାବେ ଜେଇ ଏହି ନଳକୂପର ମରାମତି କାର୍ଯ୍ୟ କରୁନାହାନ୍ତି ବୋଲି ଶୁଣିବାକୁ ମିଳୁଛି। ବିଭାଗୀୟ ଜେଇଙ୍କର ଏପରି କାର୍ଯ୍ୟକୁ ନେଇ ବୁଦ୍ଧିଜୀବୀ ମହଲରେ ସମାଲୋଚନା କରାଯିବା ସହିତ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। ଉକ୍ତ ସାହି ଲୋକମାନଙ୍କର ପାନୀୟଜଳ ସମସ୍ୟାକୁ ଦୃଷ୍ଟିରେ ରଖି ଏହି ନଳକୂପଟିକୁ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ଦାବି ହୋଇଛି।