ଭୁବନେଶ୍ବର : ଭୁବନେଶ୍ୱର ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟଣାକୁ ନେଇ ପୋଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ବିସ୍ଫୋରଣ ଘଟଣାକୁ ନେଇ କ୍ୟାପିଟାଲ ଥାନାରେ ବିଭିନ୍ନ ଦଫାରେ ମାମଲା ହୋଇଛି। ପ୍ରାଥମିକ ତଦନ୍ତ ଅନୁସାରେ ସେଠାରେ ଚାରି ଜଣ କାମ କରୁଥିଲେ। ଚାରି ଜଣଙ୍କ ମଧ୍ୟରୁ ଜଣଙ୍କର କଟକ ଏସ୍ସିବିରେ ଆଜି ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଏସ୍ସିବିରେରେ ଚିକିତ୍ସାଧିନ ଅଛନ୍ତି। ତୃତୀୟ ବ୍ୟକ୍ତି ସୁରକ୍ଷିତ ଅଛନ୍ତି, ତାଙ୍କ ସହ ଆମେ କଥା ହୋଇଛୁ। ଚତୁର୍ଥ ବ୍ୟକ୍ତିଙ୍କର କୌଣସି ସୂଚନା ମିଳୁନଥିବାରୁ, ସେ ନିରୁଦ୍ଦିଷ୍ଟ ଥିବା ଜଣାପଡିଛି । ଏହାର ତଦନ୍ତ ପାଇଁ ବିଭିନ୍ନ ଅଫିସରଙ୍କୁ ବିଭିନ୍ନ ଦାୟିତ୍ବ ଦିଆଯାଇଛି । କ’ଣ କାମ ହେଉଥିଲା, କାହା ତତ୍ତ୍ୱାବଧାନରେ ହେଉଥିଲା ତଦନ୍ତ ହେବ। ସେହିପରି ଘଟଣାସ୍ଥଳରୁ ମିଳିଥିବା ମାଂସ ଖଣ୍ଡ ଫୋରେନସିକ୍ ଲ୍ୟାବ୍ ପଠାଯାଇଛି। ଆବଶ୍ୟକ ପଡ଼ିଲେ ତାହାର ଡିଏନ୍ଏ ଟେଷ୍ଟ କରାଯିବ। ଡିଏନ୍ଏ ଟେଷ୍ଟରେ ସ୍ପଷ୍ଟ ହେବ ସେ ଶରୀର ଅଂଶ କାହାର।’
ରାଜଭବନ ପେଟ୍ରୋଲ୍ ପମ୍ପ ବିସ୍ଫୋରଣ ଘଟଣାରେ ଗଞ୍ଜାମ ଜିଲ୍ଲାର ସୀମାଞ୍ଚଳ ପରିଡା ନାମକ ବ୍ୟକ୍ତି ନିଖୋଜ ହୋଇଥିବାର ଅଭିଯୋଗ ହୋଇଛି । ଅପରପକ୍ଷରେ ବିସ୍ଫୋରଣ ସ୍ଥାନରୁ ବାକି ରହିଥିବା ଏଲ୍ପିଜି ବାହାର କରି ନିଆଯାଇଥିବାବେଳେ ଡିଜେଲ୍ ମଧ୍ୟ ବାହାର କରାଯାଇଛି । କିଛି ସମୟ ମଧ୍ୟରେ ପେଟ୍ରୋଲ୍ କଢାଯିବ । ପରିସ୍ଥିତି ଏବେ ଠିକ ରହିଛି । କେହି ଭୟଭୀତ ହେବାର କାରଣ ନାହିଁ ବୋଲି କହିଛନ୍ତି ପୋଲସ୍ କମିଶନର । ତେବେ ବିସ୍ଫୋରଣରେ ସୃଷ୍ଟି ହୋଇଥିବା ଗାତକୁ ତନ୍ନତନ୍ନ କରାଯାଇ ଯାଞ୍ଚ କରାଯିବ। କାଳେ ଗାତ ଭିତରେ କେହି ନିରୁଦ୍ଦିଷ୍ଟ ରହିଯାଇଥିବେ ସେନେଇ ଦେଖାଯିବ ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର ।