କରୋନାକୁ ମାତ୍‌ ଦେଲେ ୮୬ ବର୍ଷିୟା ମହିଳା : ସମ୍ କୋଭିଡ ହସ୍ପିଟାଲ୍‌ରୁ ସୁସ୍ଥ ହୋଇ ଘରକୁ ଫେରିଲେ

Published: Oct 9, 2020, 5:33 pm IST

ଭୁବନେଶ୍ବର : କରୋନାର ଭୟର ବାତାବରଣ ଭିତରେ ଆଶାର ସଂଚାର କରିଛନ୍ତି  ୮୬ ବର୍ଷୀୟା ମହିଳା  । ମହିଳା ଜଣକ କରୋନା ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି ।  ସମ୍ କୋଭିଡ ହସ୍ପିଟାଲ୍‌ରୁ ସୁସ୍ଥ ହୋଇ ଘରକୁ ଫେରିଥିବା ଏହି ବୟୋଜ୍ୟେଷ୍ଠା ମହିଳା ସତ୍ୟଭାମା ଦାସ ।

କରୋନା ସଂକ୍ରମିତ ହେବା ପରେ ଗତ ସେପ୍ଟେମ୍ବର ୨୯ ତାରିଖରେ ସେ ସମ୍ କୋଭିଡ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ । ତୁରନ୍ତ ତାଙ୍କର ଚିକିତ୍ସା ଆରମ୍ଭ କରାଯାଇଥିଲା । ତାଙ୍କର ଡାଇବେଟିସ୍‌, ବ୍ଲଡପ୍ରେସର୍‌, ଶ୍ୱାସ ଓ ଗ୍ୟାସ୍‌ଜନିତ ସମସ୍ୟା ମଧ୍ୟ ରହିଥିଲା । ଏପରିକି ତାଙ୍କ ବାମ ଗୋଡଟି ଭାଙ୍ଗି ଥିବାରୁ ପୂର୍ବରୁ ସେ ଶଯ୍ୟାଶାୟୀ ଥିଲେ । ଏଭଳି ଅବସ୍ଥାରେ କରୋନା ସଂକ୍ରମିତ ହୋଇ ଚିକିତ୍ସା ନିମନ୍ତେ ହସ୍ପିଟାଲ୍‌ରେ ଭର୍ତି ହୋଇଥିବା ସତ୍ୟଭାମାଙ୍କର ଅତି ଯତ୍ନ ଓ ନିଷ୍ଠାର ସହ ଚିକିତ୍ସା ଓ ସେବା କରିଥିଲେ ହସ୍ପିଟାଲ୍‌ର ଡାକ୍ତର ଓ ନର୍ସମାନେ ।

କରୋନାକୁ ପରାସ୍ତ କରି ଏହି ଶଯ୍ୟାଶାୟୀ ମହିଳା ଜଣକ ଶୁକ୍ରବାର ଘରକୁ ଫେରିଛନ୍ତି । ହସ୍ପିଟାଲ୍‌ର ଡାକ୍ତର ଓ ନର୍ସ ମାନେ ତାଙ୍କର ଯେଉଁଭଳି ଭାବେ ଚିକିତ୍ସା କଲେ ଓ ଯତ୍ନ ନେଲେ ସେଥିପାଇଁ ସେ କୃତଜ୍ଞ ବୋଲି କହିଛନ୍ତି । ତାଙ୍କ ପୁଅ ସଞ୍ଜିବ କୁମାର ଦାସ ମଧ୍ୟ ସମ୍ କୋଭିଡ ଟିମ୍‌କୁ ତାଙ୍କ ମାଆଙ୍କର ଉତ୍ତମ ଚିକିତ୍ସା କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି ।

ସମ୍ କୋଭିଡ ହସ୍ପିଟାଲ୍‌ରେ କରୋନା ସଂକ୍ରମିତ ହୋଇ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥବା ବରିଷ୍ଠ ନାଗରିକମାନେ ସୁସ୍ଥ ହୋଇ ଘରକୁ ଫେରୁଥିବାର ଅନେକ ନଜିର ଦେଖିବାକୁ ମିଳୁଛି।

Related posts