ରମେଶ ମହାନ୍ତି
ଜଗତସିଂହପୁର : ତିର୍ତ୍ତୋଲ ଥାନା ଅଞ୍ଚଳର ଗାଁ ଗହଳିରେ ଛତୁ ଫୁଟିଲା ପରି ଚୋରା ମଦ ଗଞ୍ଜେଇ ବେପାର ଚାଲୁଥିବା ବେଳେ ତିର୍ତ୍ତୋଲ ଅବକାରୀ ବିଭାଗ ହାତବାନ୍ଧି ବସିଥିବା ନେଇ ଚର୍ଚ୍ଚା ହେଉଛି। ଚୋରା ମଦ ଗଞ୍ଜେଇ ବେପାରୀଙ୍କ ଉପରେ ତିର୍ତ୍ତୋଲ ପୋଲିସ୍ ଘନ ଘନ ଚଢାଉ କରୁଥିବା ବେଳେ ତିର୍ତ୍ତୋଲ ଅବକାରୀ ବିଭାଗ କାଁ ଭାଁ ଚଢାଉ କରି ବାହା ବାହା ନେଉଥିବା କୁହାଯାଉଛି।
ସୂଚନାନୁଯାୟୀ ଶୁକ୍ରବାର ଦିନ ରାହାମା ଅଞ୍ଚଳର ଭାଲିଆପାଟଣା ଗ୍ରାମରେ ଚୋରା ଗଞ୍ଜେଇ ବେପାର ହେଉଥିବା ଖବର ପାଇ ଉକ୍ତ ଗ୍ରାମର ହୃଷୀକେଶ ବେଉରା (ଚକ)ଙ୍କ ଘରେ ତିର୍ତ୍ତୋଲ ପୋଲିସ୍ ଅଚାନକ ଚଢ଼ାଉ କରି ୧୦କିଲୋ ୮୦୦ଗ୍ରାମ୍ ଗଞ୍ଜେଇ ଜବତ କରିଥିଲା। ଏହି ଚଢାଉ ସମୟରେ ଚକ ଘରେ ନଥିବାରୁ ତାଙ୍କ ଝିଅକୁ ପୋଲିସ୍ ଗିରଫ କରି ଥାନାକୁ ନେଇଆସିଥିଲା ପରେ ଚକ ତିର୍ତ୍ତୋଲ ଥାନାରେ ହାଜର ହେବା ପରେ ତାଙ୍କୁ ଥାନାରେ ଅଟକ ରଖାଯାଇ ତାଙ୍କ ଝିଅକୁ ଛାଡି ଦିଆଯାଇଥିବା ଜଣାପଡିଛି।
ଶନିବାର ଦିନ (ଆଜି) ଚକକୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି। ଏହି ଚଢାଉରେ ଏସ୍.ଆଇ ଜୋଗେଶ୍ୱର ବେହେରା, ଏସ୍.ଆଇ ଧରିତ୍ରୀ ଜେନା, ହାବିଲଦାର ସ୍ମୃତି ରଂଜନ ମହାପାତ୍ର, କନେଷ୍ଟବଳ ରୁନା ମଲ୍ଲିକ, ଭରତ ମଲ୍ଲିକ ପ୍ରମୂଖ ଯୋଗଦେଇଥିବା ବେଳେ ଏସ୍.ଆଇ ଅନିରୁଦ୍ଧ ନାୟକ କେସ୍ ପରିଚାଳନା କରୁଥିବା ଥାନା ପକ୍ଷରୁ ସୂଚନା ମିଳିଛି।