ନୂଆଦିଲ୍ଳୀ: ପୂର୍ବତନ ସଲିସିଟର ଜେନେରାଲ୍ ହରିଶ୍ ସାଲ୍ଭେ ଆସନ୍ତା ସପ୍ତାହରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଦେଶର ଜଣାଶୁଣା ଓକିଲ ହେଉଛନ୍ତି ହରିଶ୍ ସାଲ୍ଭେ। ବ୍ରିଟେନ୍ରେ ତାଙ୍କର କ୍ବିନ୍ସ କାଉନ୍ସିଲ୍ ମଧ୍ୟ ରହିଛି। ୬୫ ବର୍ଷୀୟ ହରିଶ୍ ଗତ ମାସରେ ନିଜ ୩୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ। ସ୍ତ୍ରୀ ମିନାକ୍ଷୀ ସାଲ୍ଭେଙ୍କୁ ଛାଡପତ୍ର ଦେଇ ଆଇନ ଅନୁଯାୟୀ ବିବାହରୁ ମୁକ୍ତ ହୋଇଥିଲେ। ହରିଶ୍-ମିନାକ୍ଷୀଙ୍କର ଦୁଇ କନ୍ୟା ମଧ୍ୟ ରହିଛନ୍ତି। ତେବେ ହରିଶ୍ ସାଲ୍ଭେ ନିଜ ବନ୍ଧୁ କ୍ୟାରୋଲିନ୍ ବ୍ରାସାଣ୍ଡୋଙ୍କ ସହ ଅକ୍ଟୋବର ୨୮ ତାରିଖରେ ଲଣ୍ଡନର ଏକ ଚର୍ଚ୍ଚରେ ବିବାହ କରିବାକୁ ଯାଉଛନ୍ତି। ତେବେ ଦୁହିଁଙ୍କ ଏହା ଦ୍ବିତୀୟ ବିବାହ।
ସାଲ୍ଭେ ନିଜ ଧର୍ମ ବଦଳାଇ ଇସାଇ ହୋଇଛନ୍ତି। ଭାବୀ ସ୍ତ୍ରୀ କ୍ୟାରୋଲିନ୍ଙ୍କ ସହିତ ଗତ ଦୁଇ ବର୍ଷ ହେବ ସେ ନିୟମିତ ଭାବେ ଲଣ୍ଡନର ଚର୍ଚ୍ଚକୁ ଯାଉଛନ୍ତି। ୫୬ ବର୍ଷୀୟା କ୍ୟାରୋଲିନ୍ ଜଣେ କଳାକାର। ତାଙ୍କର ମଧ୍ୟ ଏକ ଝିଅ ରହିଛନ୍ତି। ଆାର୍ଟ ପ୍ରଦର୍ଶନୀରେ ଦୁହିଁଙ୍କ ସାକ୍ଷାତ ହୋଇଥିଲା। ଏହାପରେ ଦୁହିଙ୍କ ସମ୍ପର୍କରେ ବେଶ୍ ଗାଢ ହୋଇଥିଲା। ଦୁହିଙ୍କ ମଧ୍ୟରେ ବୁଝାମଣା ବେଶ୍ ଉତ୍ତମ ରହିଛି।
ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବେଡ ଓ ହରିଶ୍ ସାଲ୍ଭେ ଉଭୟେ ଏକା ସ୍କୁଲରେ ପଢୁଥିଲେ। ଦୁହେଁ ମହାରାଷ୍ଟ୍ରର ନାଗପୁର ସହରରେ ମଧ୍ୟ ପାଠ ପଢିଥିଲେ। ୧୯୭୬ ମସିହାରେ ସାଲ୍ଭେ ଦିଲ୍ଳୀ ଆସିଥିଲେ ଓ ବୋବ୍ଡେ ମୁମ୍ବାଇ ହାଇକୋର୍ଟ। ଏହାପରେ ଜଷ୍ଟିସ୍ ଏସ୍.ଏ. ବୋବେଡ୍ ହାଇକୋର୍ଟର ବିଚାରପତି ହେଲେ। ଦେଶର ୪୭ତମ ପ୍ରଧାନ ବିଚାରପତି ଭାବେ ଦାୟିତ୍ବ ସମ୍ଭାଳିଛନ୍ତି ଜଷ୍ଟିସ୍ ବୋବ୍ଡେ। ସେହିପରି ସାଲ୍ଭେ ବରିଷ୍ଠ ଆଡ୍ଭୋକେଟ୍ ଓ ପରେ ପରେ ସଲିସିଟର ଜେନେରାଲ୍ ରୂପେ କାର୍ଯ୍ୟ କରିଥିଲେ।
ସୂଚନାଯୋଗ୍ୟ, କୂଳଭୂଷଣ ଯାଦବ ସହିତ ବହୁ ଅନ୍ତର୍ରାଷ୍ଟ୍ରୀୟ ମାମଲାରେ ଭାରତ ସରକାରଙ୍କ ତରଫରୁ ପ୍ରତିନିଧିତ୍ବ କରି ଭାରତକୁ ଗୌରବାନ୍ବିତ କରିଛନ୍ତି ହରିଶ୍ ସାଲ୍ଭେ। (ଏଜେନ୍ସି)