ରମେଶ ମହାନ୍ତି
ଜଗତସିଂହପୁର : ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତୁଳଙ୍ଗ ପଞ୍ଚାୟତରେ କଂଗ୍ରେସର ପୂର୍ବତନ ସରପଞ୍ଚ ବିଜେଡିରେ ମିଶିବା ପରେ ପଞ୍ଚାୟତର ବିଜେଡି କର୍ମୀଙ୍କ ମଧ୍ୟରେ ଅସନ୍ତୋଷର ନିଆଁ କୁହୁଳୁଥିବା ଚର୍ଚ୍ଚା ହେଉଛି। ସୂଚନାନୁଯାୟୀ ଉକ୍ତ ପଞ୍ଚାୟତର ନୀଳମାଧବ ପୀଠରେ କିଛିଦିନ ପୂର୍ବେ ବିଜେଡିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏଥିରେ ତୁଳଙ୍ଗ ପଞ୍ଚାୟତର ପୂର୍ବତନ କଂଗ୍ରେସ ସରପଞ୍ଚ କିଛି କଂଗ୍ରେସ କର୍ମୀଙ୍କ ସହିତ ବିଜେଡିରେ ଯୋଗଦେଇଥିଲେ।
ଏହି ସଭାରେ ଅନ୍ୟ ପଞ୍ଚାୟତର ବହୁ ବିଜେଡି କର୍ମୀ ଯୋଗଦେଇଥିବା ବେଳେ ଉକ୍ତ ପଞ୍ଚାୟତର ହାତଗଣତି କେଇଜଣ ବିଜେଡି କର୍ମୀଙ୍କୁ ଦେଖିବାକୁ ମିଳିଥିଲା। ଶୁଣିବାକୁ ମିଳୁଛି ବିଗତ ଦିନରେ ଉକ୍ତ ଟାଣୁଆ ସରପଞ୍ଚ ଜଣକ କଂଗ୍ରେସ ଦଳରେ ଥିବା ବେଳେ ତାଙ୍କ ଦ୍ବାରା ପଞ୍ଚାୟତର ବହୁ ବିଜେଡିକର୍ମୀ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇଥିବା କୁହାଯାଉଛି ବିଗତ ଦିନର ଏସବୁ ଘଟଣାକୁ ପଞ୍ଚାୟତର ବିଜେଡି କର୍ମୀ ମାନେ ଆଜି ପର୍ଯ୍ୟନ୍ତ ଭୁଲିପାରି ନଥିବା ବେଳେ ସେ ଏବେ ବିଜେଡି ଶିବିରରେ ସାମିଲ ହେବା ପରେ ପଞ୍ଚାୟତର ବିଜେଡି କର୍ମୀ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷର ନିଆଁ କୁହୁଳୁଥିବା ଚର୍ଚ୍ଚା ହେଉଛି। କଂଗ୍ରେସ ଛାଡି ସେ ବିଜେଡିରେ ସାମିଲ ହେବାର ଆଜିକୁ ୯ଦିନ ବିତିଯାଇଥିଲେ ସୁଦ୍ଧା ପଞ୍ଚାୟତର ବିଜେଡି କର୍ମୀମାନେ ତାଙ୍କୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି ବୋଲି ଶୁଣିବାକୁ ମିଳୁଛି। ଏନେଇ ପଞ୍ଚାୟତର ବିଜେଡି କର୍ମୀଙ୍କୁ ଡକାଇ ଘନ ଘନ ବୈଠକ କରାଯାଉଥିଲେ ମଧ୍ୟ କିଛି ଫଳପ୍ରଦ ହେଉନାହିଁ ବୋଲି କୁହାଯାଉଛି। ଯଦି ଯଥାଶୀଘ୍ର ଏହାର କିଛି ସମାଧାନର ବାଟ କରା ନଯାଏ ତେବେ ପଞ୍ଚାୟତର ବିଜେଡି କର୍ମୀଙ୍କ ମଧ୍ୟରେ କୁହୁଳୁଥିବା ଏହି ଅସନ୍ତୋଷର ନିଆଁ ଆଗାମୀ ଦିନରେ ଉଗ୍ରରୂପ ଧାରଣ କରିପାରେ ବୋଲି ଚର୍ଚ୍ଚା ହେଉଛି।