ଭୁବନେଶ୍ୱର: ଚାଷୀଙ୍କ ଠାରୁ ଖରିଫ ଧାନ କିଣିବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି । ଏଥର ବି ଅଗ୍ରୀମ୍ ଟୋକନ୍ ବ୍ୟବସ୍ଥା କରିଛନ୍ତି । ଏବର୍ଷ ଧାନ ବିକ୍ରି ପାଇଁ ପଞ୍ଜୀକରଣ କରିଛନ୍ତି 14 ଲକ୍ଷ 97 ହଜାର ଚାଷୀ । ଧାନ ସଂଗ୍ରହ ପାଇଁ ଧାର୍ଯ୍ୟ ତାରିଖର 7 ଦିନ ପୂର୍ବରୁ ଟୋକନ୍ ଜେନେରେଟ୍ ହେବ । କେଉଁଦିନ କେଉଁ ଚାଷୀ ଧାନ ବିକିବେ ଧାନ ସଂଗ୍ରହ କେନ୍ଦ୍ରରେ ନୋଟିସ୍ ଲାଗିବ । ରାଜ୍ୟରେ ଯେଉଁ ଅଞ୍ଚଳରେ ଧାନ ଅମଳ ଆରମ୍ଭ ହେଲାଣି ସେଠାରେ ନଭେମ୍ବର 15 ତାରିଖ ପର୍ଯ୍ୟନ୍ତ ଧାନ ସଂଗ୍ରହ କରାଯିବ । ଏହାଛଡ଼ା ଅନ୍ୟ ଯେଉଁ ଅଞ୍ଚଳରେ ଧାନ ଅମଳ ହେବାରେ ବିଳମ୍ବ ହୋଇଛି ସେଠାରେ ନଭେମ୍ବର 16ରୁ 30 ତାରିଖ ପରଯ୍ୟନ୍ତ ଧାନ ସଂଗ୍ରହ କରାଯିବ । ବିକ୍ରୟ କେନ୍ଦ୍ରରେ ନୋଟିସ ସହ ଚାଷୀଙ୍କ ମୋବାଇଲକୁ ମଧ୍ୟ ମେସେଜ ଯିବ । ଏକର ପିଛା ଜଳସେଚିତ ଜମିରୁ 19 ଓ ଅଣ ଜଳସେଚିତ ଜମିରୁ 12 କ୍ୱିଣ୍ଟାଲ କିଣାଯିବ । କେହି ଟୋକନ ପାଇନଥିଲେ 1967 ଟୋଲ ଫ୍ରି ନମ୍ବରକୁ ଜଣାଇ ପାରିବେ । କେଉଁ ଜିଲ୍ଲାରେ କେବେ କିଣା ଆରମ୍ଭ ହେବ ତାହା ପ୍ରୋକୁ୍ୟରମେଣ୍ଟ କମିଟି ସ୍ଥିର କରିବେ ।
ପଶ୍ଚିମ ଓଡ଼ିଶା ଜିଲ୍ଲାଗୁଡ଼ିକରେ ନଭେମ୍ବର 15 ମଧ୍ୟରେ ଧାନ ସଂଗ୍ରହ କରାଯିବ । ଜିଲ୍ଲା ପାଇଁ ପି ପାସ ଥିବାବେଳେ ଇଣ୍ଟରନେଟ ନଥିବା 50 ବ୍ଲକରେ ଅଫଲାଇନ ବ୍ୟବସ୍ଥା କରାଯାଇଛି । ଅନ୍ୟପକ୍ଷରେ ଚଳିତ ବର୍ଷ ନୂଆ ଏମଏସପିରେ ଧାନ କିଣାଯିବାକୁ ନିଷ୍ପତ୍ତି ନିଆଯାଇଛି । ଏଫଏକୁ୍ୟ ମାନର ଧାନ କ୍ୱିଣ୍ଟାଲ ପିଛା 1868 ଟଙ୍କା ଧାର୍ୟ୍ୟ କରାଯାଇଥିବାବେଳେ ଗ୍ରେଡ ଏ’ ମାନର ଧାନ କ୍ୱିଣ୍ଟାଲ ପିଛା 1888 ଟଙ୍କାରେ କିଣିବାକୁ ନିଷ୍ପତ୍ତି ନିଆଯାଇଛି । ଧାନ କିଣା ନେଇ ଯୋଗାଣ ନିଗମ ପରିଚାଳନା ନିଦେ୍ର୍ଧଶକ ଏହି ସୂଚନା ଦେଇଛନ୍ତି ।