ନୂଆଦିଲ୍ଲୀ : ଗ୍ରୀସ ଓ ତୁର୍କୀରେ ବଡ଼ ଧରଣର ଭୂମିକମ୍ପ ହୋଇଛି । ତୀବ୍ର ଭୂମିକମ୍ପରେ ଥରି ଉଠିଛି ତୁର୍କୀ ଓ ଗ୍ରୀସ । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା 7.0 ରେକର୍ଡ କରାଯାଇଛି । ଏଥିରେ ବହୁ ବଡ଼ ବଡ଼ କୋଠା ଭୁଶୁଡ଼ି ପଡ଼ିଛି । ବର୍ତ୍ତମାନ ସୁଦ୍ଧା ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଥିବା ସୂଚନା ମିଳିଛି । ବହୁ ଅଟ୍ଟାଳିକା ଭୁଶୁଡି ପଡିଛି । ଇଜମିର ଏବଂ ଗ୍ରୀକ୍ ସାମୋସ୍ ବନ୍ଦରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ସହ ସୁନାମି ଆସିଥିବା ମଧ୍ୟ ଜଣା ପଡିଛି। ସମୁଦ୍ର ପତ୍ତନ ବୃଦ୍ଧି ପାଇବା ପରେ ସହରରେ ବନ୍ୟା ପରିସ୍ଥିତି ଦେଖାଦେଇଛି ଏବଂ କିଛି ମତ୍ସ୍ୟଜୀବୀ ନିଖୋଜ ଥିବା ଜଣାପଡିଛି। ସମୁଦ୍ର ମଧ୍ୟରେ ଏହାର ଗଭୀରତା 16.5 କିଲୋମିଟର ଥିବା ସୂଚନା ରହିଛି । ଧ୍ୱଂସାବଶେଷ ତଳେ ଅନେକ ଲୋକ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି । ଆଗକୁ ଆହୁରି ଅଧିକ ବଢ଼ିପାରେ ମୃତ୍ୟୁସଂଖ୍ୟା । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଛି । ତୁର୍କୀର ଓ୍ବେଷ୍ଟର୍ଣ୍ଣ ଇଜ୍ମୀର ପ୍ରଦେଶ ଓ ଗ୍ରୀସ୍ ଦ୍ବୀପ ବେଶି କ୍ଷତିଗ୍ରସ୍ତ ହୋଇଛି । କିଛି କିଛି ସ୍ଥାନରେ ରାସ୍ତା ଦବି ଯାଇଥିବାର ଦେଖାଯାଇଛି । ତୁର୍କୀର ତୃତୀୟ ବୃହତ ସହର ଇଜାମିର୍ରେ ବ୍ୟାପକ ଧନଜୀବନ ହାନି ହୋଇଥିବାର ସୂଚନା ମିଳିଛି ।
ଏହା ପୂର୍ବରୁ ଜାନୁଆରୀ ମାସରେ ତୁର୍କୀର ସିବ୍ରୀସ୍ରେ ଭୂମିକମ୍ପ ହୋଇଥିଲା । ଏହି ଭୂକମ୍ପରେ 30ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବାବେଳେ 1600ରୁ ଉର୍ଦ୍ଧ୍ବ ଲୋକେ ଆହତ ହୋଇଥିଲେ । ସେହିପରି ତୁର୍କୀର ଇଜମିତ୍ ସହରରେ 1999 ମସିହାରେ ବଡଧରଣର ଭୂକମ୍ପ ଅନୁଭୂତ ହୋଇଥିଲା । ପ୍ରାୟ 1700 ଜୀବନ ଚାଲିଯାଇଥିଲା । (ଏଜେନ୍ସି)