ସୀତାରାମ ଅଗ୍ରଓ୍ବାଲ
ବାଣପୁର : ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ଏବଂ ନାଚୁଣୀ ଅଞ୍ଚଳରେ ପୃଥକ ପୃଥକ ଭାବେ ଦୁଇଗୋଟି ସଡ଼କ ଦୁର୍ଘଟଣା ଘଟିଯାଇଛି ଯେଉଁଥିରେ ଚାରି ଜଣ ଗୁରୁତର ଭାବେ ଆହତ ହୋଇ ଚିକିତ୍ସତ ହେଉଛନ୍ତି । ସୂଚନା ମୁତାବକ ଆଜି ଅପରାହ୍ନରେ ଚିଲିକା ବ୍ଲକ ସୋରଣ ଗ୍ରାମର ଦୁଇ ଜଣ ଯୁବତୀ ଏକ ସ୍କୁଟି(OD33B8795)ଯୋଗେ ନାଚୁଣୀ ବଜାର ଦେଇ ଘରକୁ ଫେରିବା ସମୟରେ କଉଡ଼ିଖଣି ଛକରେ ବୁଲାଣି ରାସ୍ତା ଅତିକ୍ରମ କଲା ବେଳକୁ ବିପରୀତ ଦିଗରୁ ଗଞ୍ଜାମ ଯାଉଥିବା ଏକ ବାଇକ(ODO7AF0663) ସ୍କୁଟି କୁ ଶକ୍ତ ଧକା ଦେଇଥିଲା ଫଳରେ ଘଟଣାସ୍ଥଳରେ ଉଭୟେ ସ୍କୁଟି ଏବଂ ବାଇକ ଚାଳକ ରାସ୍ତାରେ ଛିଟିକିହୋଇ ପଡ଼ିବା ସହ ଗାଡ଼ି ଦୁଇଟି ଭାଙ୍ଗିରୁଜିଯାଇଛି । ଖବର ପାଇ ଘଟଣାସ୍ଥଳରେ ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ ପହଁଚି ତିନି ଜଣଙ୍କୁ ଗୁରୁତର ଭାବେ ଉଦ୍ଧାର କରି 108 ଆମ୍ବୁଲାନ୍ସ ଯୋଗେ ଟାଙ୍ଗୀ ମେଡିକାଲ ପଠାଇଛନ୍ତି। ନାଚୁଣୀ ପୋଲିସ ଉଭୟ ଗାଡ଼ି କୁ ଜବତ କରିବା ସହ ତଦନ୍ତ ଜାରି ରଖିଛି ।
ଅନ୍ୟପକ୍ଷରେ ଅନୁରୂପ ଭାବେ ଆଜି ଅପରାହ୍ନରେ ଗମ୍ଭାରୀମୁଣ୍ଡା ମାନସିଂହପୁର ଛକରେ ଆଉ ଏକ ସଡ଼କ ଦୁର୍ଘଟଣା ଘଟିଯାଇଛି। ସୂଚନା ମୁତାବକ ଆଜି ଅପରାହ୍ନ ରେ ସିଦ୍ଧାନ୍ତ ନାୟକ ଏକ ଗ୍ଲାମର ବାଇକ ଯୋଗେ ଚାନ୍ଦପୁର ମେଡିକାଲ ରୁ ଡିୟୁଟି ସାରି ନିଜ ଗ୍ରାମ କୁଲେଇ ପଞ୍ଚାୟତ ଅନ୍ତର୍ଗତ ହରିଚନ୍ଦନପୁରକୁ ଫେରୁଥିବା ସମୟରେ ମାନସିଂହପୁର ଛକରେ ଏକ କାର (OD02G0405)ତାଙ୍କୁ ମୁହାଁମୁହିଁ ଧକା ଦେଇଥିଲା ଯାହାଫଳରେ ସିଦ୍ଧାନ୍ତ ଗୁରୁତର ଭାବେ ଆହତ ହୋଇ ତଳେ ପଡିଯାଇଥିଲେ। ଗିରଫ ଭୟରେ କାର ଚାଳକ ଦୁର୍ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାସ୍ଥଳେ ନାଚୁଣୀ ପୋଲିସ ଖବର ପାଇ ସିଦ୍ଧାନ୍ତକୁ ଗୁରୁତର ଭାବେ ଉଦ୍ଧାର କରି ଟାଙ୍ଗୀ ମେଡିକାଲ କୁ ପଠାଇବା ସହ କାରଟି କୁ ଜବତ କରି ତଦନ୍ତ ଜାରି ରଖିଛି।