ନୂଆଦିଲ୍ଲୀ : ଆସନ୍ତା ବର୍ଷ ଜାନୁଆରୀ ସୁଦ୍ଧା ବ୍ୟବହାର ଉପଯୋଗୀ ଟିକା ମିଳିଯିବ ବୋଲି ଭାରତରେ ଥିବା ବିଶ୍ୱର ସର୍ବବୃହତ ଟୀକା ଉତ୍ପାଦନକାରୀ କମ୍ପାନି ସେରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ମୁଖ୍ୟ ଆଦର ପୁନୱାଲା କହିଛନ୍ତି । ସେରମ୍ ଇନଷ୍ଟିଚ୍ୟୁଟ୍ରେ ବ୍ରିଟେନସ୍ଥିତ ଅକ୍ସଫୋର୍ଡ ଟିକାର ଏକ ବୃହତ ଭାଗ ଉତ୍ପାଦନ ହେବ। ଯଦି ଟୀକା ଭୂତାଣୁ ବିରୋଧୀ ଓ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୁଏ ଏବଂ ନିୟନ୍ତ୍ରକ ସଂସ୍ଥା ଅନୁମତି ଦିଏ, ତେବେ ଏହା 2021 ଜାନୁଆରୀ ସୁଦ୍ଧା ଶସ୍ତାରେ ଭାରତରେ ଉପଲବ୍ଧ ହୋଇ ପାରିବ ବୋଲି ପୁନଓ୍ବାଲା କହିଛନ୍ତି ।
ଉଭୟ ଭାରତ ଓ ଇଂଲଣ୍ଡରେ ଏହି ଟୀକା ସଫଳତାର ସହ ପରୀକ୍ଷଣ କରାଯାଇଛି। ସେରମ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ-ଏସ୍ଆଇଆଇ ବ୍ରିଟିଶ୍ ଓ ସ୍ୱିଡିସ୍ ଫାର୍ମା କମ୍ପାନୀ ଆଷ୍ଟ୍ରାଜେନେକା ସହ ମିଶି କୋଭିସିଲଡ୍ ଉତ୍ପାଦନ ପାଇଁ ଗବେଷଣା ଜାରି ରଖିଛି। ଭାରତରେ ଅକ୍ସଫୋର୍ଡ ଟୀକାର ପରୀକ୍ଷଣ ଜାରି ରହିଛି । ଏଣୁ ଭାରତରେ ଏହି ଟୀକାର ପରୀକ୍ଷଣର ସଫଳତା ଉପରେ ମଧ୍ୟ ଦେଶରେ ଟିକା ମିଳିବା ନ ମିଳିବା ନିର୍ଭର କରେ ବୋଲି ସେ କହିଛନ୍ତି । ଟୀକା ଶରୀରରେ କରୋନା ବିରୋଧରେ ଆଣ୍ଟିବଡି ସୃଷ୍ଟି କରିପାରୁଛି କି ନାହିଁ ଏବଂ ଏହା ସୁରକ୍ଷିତ କି ନାହିଁ, ତାହା ଉପରେ ବିଶେଷ ଧ୍ୟାନ ରଖାଯିବ । ସେରମ୍ ଇନ୍ଷ୍ଟିଚ୍ୟୁଟ୍ରେ ପ୍ରସ୍ତୁତ ହେବାକୁ ଥିବା ଟିକା ମୁଖ୍ୟତଃ ଗରିବ ଏବଂ ମଧ୍ୟବିତ୍ତ ଦେଶମାନଙ୍କୁ ଦିଆଯିବ ବୋଲି ସେ ପ୍ରକାଶ କରିଛନ୍ତି । (ଏଜେନ୍ସି)