ନୂଆଦିଲ୍ଲୀ : କରୋନାକୁ ଦୃଷ୍ଟିରେ ରଖି ସବୁ ପର୍ବପର୍ବାଣୀ ପାଳନ ଉପରେ କଟକଣା ଲାଗୁ କରାଯାଉଛି । ଏବେ ଆସୁଛି ଦୀପାବଳି ପର୍ବ । ତେବେ କରୋନା କାଳରେ ଏହି ପର୍ବକୁ କିପରି ପାଳନ କରିବେ, ସେ ନେଇ ଦିଲ୍ଲୀବାସୀଙ୍କୁ ସୂଚନା ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲ । ଦିଳ୍ଲୀବାସୀ ଲକ୍ଷ୍ମୀ ପୂଜା କରିବା ସହିତ ଦୀପାବଳି ଉତ୍ସବ ମନାଇ ପାରିବେ ବୋଲି କେଜ୍ରିୱାଲ ଘୋଷଣା କରିଛନ୍ତି । ଗୁରୁବାର କ୍ୟାବିନେଟ ମନ୍ତ୍ରୀ ମାନଙ୍କ ସହିତ ଆଲୋଚନା ପରେ ଏହା ଘୋଷଣା କରିଛନ୍ତି କେଜ୍ରିୱାଲ । ଦିଲ୍ଲୀ ସରକାରଙ୍କ ପକ୍ଷରୁ ପୂଜାର ଲାଇଭ ଟେଲିକାଷ୍ଟ ବିଭିନ୍ନ ଟିଭି ଚ୍ୟାନେଲ ଜରିଆରେ ପ୍ରଦର୍ଶନ କରାଯିବ ବୋଲି ସୂଚନା ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ।
ଆଜି ସନ୍ଧ୍ୟା ୭.୩୯ ପରଠାରୁ ସମଗ୍ର ଦିଲ୍ଲୀ ବାସୀ ଏକତ୍ରିତ ଭାବରେ ଲକ୍ଷ୍ମୀ ପୂଜା ପାଳନ କରିବେ । ଦୀପାବଳି ପର୍ବ ପାଳନକୁ ମଧ୍ୟ ସରକାରଙ୍କ ପକ୍ଷରୁ ସବୁଜ ସଙ୍କେତ ପ୍ରଦାନ କରାଯାଇଛି । ତେବେ ବାଣ ଫୁଟାଇବା ଉପରେ ସରକାରଙ୍କ ପକ୍ଷରୁ ବାରଣ କରାଯାଇଛି । ବାଣ ଫୁଟାଇ ଶିଶୁ ଏବଂ ପରିବାର ବର୍ଗଙ୍କ ଜୀବନ ସହିତ ନଖେଳିବାକୁ କେଜ୍ରିୱାଲ କହିଛନ୍ତି । ଏହା ସହିତ ସମସ୍ତ ଆପ ବିଧାୟକ ଏବଂ ମନ୍ତ୍ରୀ ମଧ୍ୟ ଲକ୍ଷ୍ମୀ ପୂଜା କରିବେ ଯାହାର ସିଧା ପ୍ରସାରଣ କରାଯିବ । ଏହା ସହିତ ଲକ୍ଷ୍ମୀପୂଜା ପାଳନ କରିବା ଦ୍ୱାରା ଦିଲ୍ଲୀ ବାସୀଙ୍କ ମନୋଭାବ ସକରାତ୍ମକ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । (ଏଜେନ୍ସି)