ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ପୋଲିସକୁ ମିଳିଛି ଆଉ ଏକ ସଫଳତା । ଗତ ୧୨ ତାରିଖରେ ସୁନା ଲୁଟେରା ଗ୍ୟାଙ୍ଗ୍ କୁ ଧରି ଗଞ୍ଜାମ ପୋଲିସ ସଫଳତା ଅର୍ଜନ କରିଥିବା ବେଳେ ଆଜି ଏଟିଏମ୍ କାର୍ଡ ଚଂଚକତା କରି ଲୁଟ୍ କରୁଥିବା ଅନ୍ତଃରାଜ୍ୟ ଲୁଟେରାଙ୍କୁ ଧରିଛି ଛତ୍ରପୁର ପୋଲିସ । ଦୀର୍ଘ ଦୁଇ ବର୍ଷ ଧରି ବିଭିନ୍ନ ସ୍ଥାନରୁ ଏଟିଏମ୍ କାର୍ଡଧାରୀଙ୍କୁ କୌଶଳକ୍ରମେ ଏଟିଏମ୍ କାର୍ଡ ବଦଳାଇ ଲୁଟୁଥିଲେ ଲକ୍ଷାଧିକ ଟଙ୍କା । ଏଭଳି ଏକ ଚୋର ଗ୍ୟାଙ୍ଗର ଦୁଇଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ପୋଲିସ । ଏହି ଲୁଟେରାମାନେ ଆନ୍ତଃ ରାଜ୍ୟରେ ବିଭିନ୍ନ ଏଟିଏମ୍ କାଉଣ୍ଟରେ ଟଙ୍କା ଉଠାଇବା ଲାଗି ଯାଉଥିବା ବୟସ୍କ ବ୍ୟକ୍ତି ଓ ଅଶିକ୍ଷିତ ମାନଙ୍କୁ ଟାର୍ଗେଟ୍ କରି ତାଙ୍କୁ ବିଭିନ୍ନ ଆଳ ଦେଖାଇ କୌଶଳରେ ତକ୍ଷଣାତ୍ କାର୍ଡକୁ ବଦଳାଇ ଦେଉଥିଲେ ଓ ପରେ ଟଙ୍କା ଉଠାଉଥିଲେ । ଏହି ଦୁଇ ଲୁଟେରାଙ୍କୁ ପୋଲିସ ଗିରଫ କରିବା ସହ ସେମାନଙ୍କଠାରୁ ନଗଦ ୨ଲକ୍ଷ ୭୦ହଜାର ଟଙ୍କା , ମୋବାଇଲ ଓ ଏଟିଏମ୍ କାର୍ଡ, ଗାଡି ଆରସି ବୁକ , ଦୁଇଟି ମୋଟର ସାଇକଲେ ଓ ଗୋଟିଏ ସୁନା ମୁଦି ଜବତ କରିଛି ପୋଲିସ ।
ଆନ୍ତରାଜ୍ୟ ଏଟିଏମ୍ ଲୁଟେରା ଗ୍ୟାଙ୍କୁ ଧରିବା ପାଇଁ ଗଞ୍ଜାମ ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ବ୍ରିଜେସ୍ କୁମାର ରାଏଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ଏହାକୁ ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର ମନିଟିରଂ କରୁଥିବା ବେଳେ ଛତ୍ରପୁର ଏସଡିପିଓ ଗୌତମ କିଷାନ , ଛତ୍ରପୁର ଥାନା ଅଧିକାରୀ ପ୍ରିୟସ ରଞ୍ଜନ ଛୋଟରାୟ ଓ ଚମାଖଣ୍ଡି ଥାନା ଅଧିକାରୀ ସୀତାଂଶୁ ଶେଖର ମାନ୍ଧତା ଙ୍କୁ ସାମିଲ କରାଯାଇଥିଲା । ଜିଲ୍ଲାର ବିଭିନ୍ନ ଏଟିଏମ୍ କାଉଣ୍ଟରେ ସ୍ପାଏ ରଖାଯାଇ ବିଭିନ୍ନ ଲୋକଙ୍କ ଗତିବିଧି ଉପରେ ନଜର ରଖାଯାଇଥିବା ବେଲେ ସିସି ଟିଭି ଫୁଟେଜକୁ ଆଧାର କରି ଏହି ଦୁଇ ଚୋରଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ପୋଲିସ ।