ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର : ଆଜି ଜିଲ୍ଲାର କୋଭିଡ୍ କେୟାର ହୋମ୍ (ସିସିଏଚ୍) ମାନଙ୍କରେ କାମ କରୁଥିବା କରୋନା ଯୋଦ୍ଧାମାନେ କୋଭିଡ୍ ୱାରିଅର୍ ଚିଟେଡ୍ ଫୋରମ୍ର ରାଜ୍ୟ ସଭାପତି ଜନନେତା ଇଂ. ଦେବାଶିଷ ହୋତାଙ୍କ ନେତୃତ୍ୱରେ ଏକଜୁଟ୍ ହୋଇ ଜିଲ୍ଲାପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବିନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ୨ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
ସେମାନଙ୍କର ପ୍ରଥମ ଦାବିଟି ହେଲା, ସରକାର ରାଜ୍ୟବାସୀଙ୍କୁ ଭଲ ସ୍ୱାସ୍ଥ୍ୟସେବା ଯୋଗାଇଦେବା ନିମନ୍ତେ ତୁରନ୍ତ ୫ ଶହ କୋଟି ଟଙ୍କାର ବାର୍ଷିକ ଅତିରିକ୍ତ ବଜେଟ୍ ଉପସ୍ଥାପନ କରି ସମସ୍ତ ସିସିଏଚ୍ଗୁଡିକୁ ପଂଚାୟତ ହେଲ୍ଥ୍ କେୟାର ହୋମ୍ (ପିଏଚ୍ସିଏଚ୍)ରେ ରୁପାନ୍ତରିତ କରିଦିଅନ୍ତୁ ଏବଂ ସେଥିରେ ଏହି କରୋନା ଯୋଦ୍ଧାମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରନ୍ତୁ ।
ଯେ ପର୍ଯ୍ୟନ୍ତ ସରକାର ସେମାନଙ୍କର ଉପରୋକ୍ତ ଦାବିଟି ପୂରଣ କରିନାହାନ୍ତି , ସେ ଯାଏ ସିସିଏଚ୍ଗୁଡିକରେ କାମକରୁଥିବା କୌଣସି କରୋନା ଯୋଦ୍ଧାଙ୍କୁ ଛଟେଇ ନ କରିବାକୁ କିମ୍ବା ଯଦି ଛଟେଇ କରିସାରିଛନ୍ତି, ତେବେ ପୁନଃ-ନିଯୁକ୍ତି ଦେବା ପାଇଁ ସମସ୍ତ ଜିଲ୍ଲାପାଳ ଏବଂ ସିଡିଏମ୍ଓମାନଙ୍କୁ ତୁରନ୍ତ ନିର୍ଦ୍ଦେଶ ଦେବା ନିମନ୍ତେ ଏହି କରୋନା ଯୋଦ୍ଧାମାନେ ଦାବିକରିଛନ୍ତି ।
ଯଦି ସେମାନଙ୍କର ଉପରୋକ୍ତ ଦାବିଗୁଡିକ ସରକାର ତୁରନ୍ତ ପୂରଣ ନ କରନ୍ତି, ତେବେ ସେମାନେ ବାଧ୍ୟ ହୋଇ ୧୫ ଡିସେମ୍ବର ୨୦୨୦ ଠାରୁ ଦାବି ପୂରଣ ହେବା ଯାଏ ଭୁବନେଶ୍ୱରରେ ଧାରଣା ଦେବାକୁ ବାଧ୍ୟ ହେବେ ବୋଲି ଇତ୍ୟବସରରେ ପ୍ରକାଶ କରିଛନ୍ତି।