ହେମାଙ୍ଗ ପ୍ରସାଦ ରାଉଳ
ଗଞ୍ଜାମ : ଚାରି ଦଫା ଦାବି ନେଇ ଆଜି ଗଂଜାମ ଜିଲ୍ଲା କନିଷ୍ଠ ଶିକ୍ଷକ ଆଶାୟୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗଂଜାମ ଜିଲ୍ଲାପାଳଙ୍କୁ ତାଙ୍କ କାର୍ଯ୍ୟଳୟରେ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ମୁଖ୍ୟ ଦାବିଗୁଡ଼ିକ ମଧ୍ୟରେ –
(୧)ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ହୋଇଥିବା ଗଂଜାମରେ ୪୩୩ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବନ୍ଦ କରାଯିବା ନିଷ୍ପତ୍ତିକୁ ପ୍ରତ୍ୟାହାର କରିବା ।
(୨)ତୁରନ୍ତ କନିଷ୍ଠ ଶିକ୍ଷକ ନିଯୁକ୍ତି ନିମନ୍ତେ ବିଜ୍ଞାପନ ବାହାର କରିବା ।
(୩)ଭିତ୍ତିଭୂମି ନଥିବା ତଥା ବିନା ସିଓଆର୍ ଏବଂ ଏନ୍ଓସିରେ ଚାଲିଥିବା ବେସରକାରୀ ସ୍କୁଲ ଚିହ୍ନଟ କରି ବନ୍ଦ କରିବା ।
(୪)ନକଲି ସାର୍ଟିଫିକେଟ୍ ଦେଇ ଚାକିରି କରିଥିବା ଶିକ୍ଷକଙ୍କୁ ଚିହ୍ନଟ କରି ଚାକିରିରୁ ବହିଷ୍କାର କରିବା ।
ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ପ୍ରାଥମିକ ଏବଂ ଉଚ୍ଚପ୍ରାଥମିକ ବିଦ୍ୟାଳୟଗୁଡ଼ିକ ବନ୍ଦ ଏବଂ ମିଶ୍ରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହିକ୍ରମରେ ଗଂଜାମ ଜିଲ୍ଲାରେ ପ୍ରାୟ ୪୩୩ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବନ୍ଦ ହେବାକୁ ଯାଉଛି । ତେବେ ଏଠାରେ ଗୋଟିଏ କଥା ଲକ୍ଷ୍ୟ କରାଯାଏ ଗତ ୫ ବର୍ଷ ମଧ୍ୟରେ ୧୬୫ ସ୍କୁଲ ବନ୍ଦ ହୋଇଥିବାବେଳେ ଚଳିତ ବର୍ଷ ୪୩୩ ସ୍କୁଲ ବନ୍ଦ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହାକୁ ନେଇ ଗଂଜାମ ଜିଲ୍ଲାରେ ଜନ ଅସନ୍ତୋଷ ତେଜିବାରେ ଲାଗିଲାଣି । ସ୍କୁଲ ବନ୍ଦର ନିର୍ଦ୍ଦେଶ ପ୍ରତ୍ୟାହାର ପାଇଁ ହାଇକୋର୍ଟରେ ମଧ୍ୟ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । କିଛି ଶିକ୍ଷକ ନକଲି ସାର୍ଟିଫିକେଟ୍ ପ୍ରଦାନ କରି ମଧ୍ୟ ଚାକିରି କରୁଛନ୍ତି । ସେମାନଙ୍କ ଯୋଗୁଁ ଶିକ୍ଷାର ମାନ ନିମ୍ନଗାମୀ ହେଉଛି । ତେଣୁ ସେମାନଙ୍କୁ ଚିହ୍ନଟ କରି ଚାକିରିରୁ ବହିଷ୍କାର କରିବାକୁ ମଧ୍ୟ ସଂଘ ଦାବି କରିଛି ।
ଏହି ଦାବିପତ୍ର ପ୍ରଦାନ ସମୟରେ ସଭାପତି ଏମ୍. ବାଲ୍ରାଜୁ, ସଂପାଦକ ଗୋପାଳ କୃଷ୍ଣ ବିଷୋୟୀ, ଉପସଭାପତି ବଳରାମ ବେହେରା, ନନ୍ଦିନୀ ପ୍ରଧାନ, ଅତିରିକ୍ତ ସଂପାଦକ ଏମ୍ .ସୁଚିତ୍ରାରାଣୀ ଦାଶ, ଅଂଚଳ ସେଠୀ, କୋଷାଧ୍ୟକ୍ଷ ବଳରାମ ପ୍ରଧାନ, ମିଡ଼ିଆ ସେଂଯୋଜକ ଅରୁଣ କୁମାର ପଟ୍ଟନାୟକ, ମିଡ଼ିଆ ମୁଖପାତ୍ର ହରମୋହନ ଖାଡ଼ଙ୍ଗା, ଜିଲ୍ଲା ସଂଯୋଜକ ଅରବିନ୍ଦ ମହାରଣା, ବିମଳ ସାହୁ, ଶିବାନନ୍ଦ ସାହୁ, ଡି ବିଦ୍ୟାସାଗର, କିଶାନ ସେଠୀ, ଟୁକୁନା ସେଠୀ, ଜଗନ୍ନାଥ ଚୌଧୁରୀ ପ୍ରମୁଖ କୋର କମିଟିର ବହୁ ସଦସ୍ୟଙ୍କ ସହ ଆଶାୟୀ ଭାଗ ନେଇଥିଲେ । ଜିଲ୍ଲାପାଳଙ୍କ ସହ ସାକ୍ଷାତ କରିବା ପରେ ସେ କହିବା ପ୍ରକାର ଗଂଜାମ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଅମୂଲ୍ୟ କୁମାର ପ୍ରଧାନଙ୍କୁ ଗିରି ରୋଡ଼୍ଙ୍କୁ ମଧ୍ୟ ସଂଘର କର୍ମକର୍ତ୍ତାମାନେ ଦାବିପତ୍ର ପ୍ରଦାନ କରିଥିଲେ ।