ରମେଶ ମହାନ୍ତି
ଜଗତସିଂହପୁର: ଜିଲ୍ଲା ସଦରମହକୁମାର ଏକ ବିଦ୍ୟାଳୟରେ ଜଣେ ଶିକ୍ଷୟିତ୍ରୀଙ୍କୁ ଚାକିରିରେ ଯୋଗଦେବାକୁ ନେଇ ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଏବିଇଓଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି। କୌଣସି ଲିଖିତ ନିର୍ଦ୍ଦେଶନାମା ନ ଥାଇ ମୌଖିକ ଭାବରେ ଶିକ୍ଷୟିତ୍ରୀଙ୍କୁ ଚାକିରିରେ ଅବସ୍ଥାପିତ କରିବାକୁ ନେଇ ଏହି ବିବାଦ ଆରମ୍ଭ ହୋଇଥିଲା। ଶେଷରେ ଏବିଇଓଜଣକ ନିଜ ପଦ ମର୍ଯ୍ୟାଦାର ଅପବ୍ୟବହାର କରିବା ପୂର୍ବକ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଗାଳି ଗୁଲଜ ଦେବା ସହ ସ୍କୁଲରେ ତାଲା ପକାଇବାକୁ ଧମକ ଦେଇଥିବାର ଜଣାଯାଇଛି।
ମିଳିଥିବା ସୂଚନା ଅନୁସାରେ, ଜିଲ୍ଲା ସଦରମହକୁମାର ଏକ ବିଦ୍ୟାଳୟରେ ଜନୈକ ଏ.ବି.ଇ.ଓ. ମୈାଖିକ ଭାବରେ ଜଣେ ଶିକ୍ଷୟିତ୍ରୀଙ୍କୁ ଏକ ବିଦ୍ୟାଳୟରେ ଯୋଗ ଦେବାକୁ ପଠାଇଥିଲେ। ମାତ୍ର ଉକ୍ତ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଅଧିକାରୀଙ୍କର ଲିଖିତ ଚିଠି ନ ଦେଖି ସମ୍ପୃକ୍ତା ଶିକ୍ଷୟିତ୍ରୀଙ୍କୁ ଯୋଗଦେବାକୁ ଅନୁମତି ଦେଇନଥିଲେ। ଏହାପରେ ସମ୍ପୃକ୍ତା ଶିକ୍ଷୟିତ୍ରୀ ଜଣକ ଏ ସଂକ୍ରାନ୍ତରେ ଏବିଇଓଙ୍କୁ ଫୋନ୍ ଯୋଗେ ଜଣାଇଥିଲେ। ଏହାପରେ ପ୍ରଧାନ ଶିକ୍ଷୟିତ୍ରୀ ଏବିଇଓଙ୍କ ସହ କଥା ହୋଇ ଲିଖିତ ନିର୍ଦ୍ଦେଶନାମା ସହ କାରଣ ଦର୍ଶାଅ ନୋଟିସ୍ ବିଷୟରେ କହିଥିଲେ। ମାତ୍ର ଏବିଇଓ ପ୍ରଧାନଶିକ୍ଷୟିତ୍ରୀଙ୍କ କୌଣସି କଥାକୁ ନ ଶୁଣି ବିଭିନ୍ନ ପ୍ରକାରର ଗାଳିଗୁଲଜ କରିବା ସହିତ ସ୍କୁଲରେ ତାଲା ପକାଇବାକୁ ଧମକ ଦେଇଥିଲେ। ଏହାପରେ ଏହି ଘଟଣାକୁ ନେଇ ବିଇଓଙ୍କୁ ଅବଗତ କରାଯାଇଥିଲା। ଅନୁସନ୍ଧାନରୁ ଜଣାପଡିଛି ଯେ ଉକ୍ତ ଏବିଇଓ ଜଣକ ଡେପୁଟେସନ୍ କରିବାକୁ ୧୫ରୁ ୨୦ ହଜାର ଅଗ୍ରିମ ନେଇ ମୌଖିକ ନିର୍ଦ୍ଦେଶ ଦେଉଛନ୍ତି।
ଅପରପକ୍ଷରେ ପୈରାଞ୍ଚଳରେ ଦୁଇଟି ବିଦ୍ୟାଳୟ ମିଶ୍ରଣ ହୋଇଥିବାରୁ ବଳକା ଶିକ୍ଷକ ବା ଶିକ୍ଷୟିତ୍ରୀ ମାନଙ୍କୁ ଅବସ୍ଥାପିତ ନକରି ବାହାରୁ ଶିକ୍ଷୟିତ୍ରୀ ଆଣିବା କେତେ ଯଥାର୍ଥ ତାହା ବିଚାରଯୋଗ୍ୟ ବିଷୟ। ଏଠି ପ୍ରଶ୍ନ ଉଠୁଛି ବିଦ୍ୟାଳୟକୁ ଛାତ୍ରଛାତ୍ରୀ ଆସୁ ନଥିବା ସମୟରେ ଏ ମୈଖିକ ନିର୍ଦ୍ଦେଶ ଦେବାର ଆବଶ୍ୟକ କଣ ? ଅର୍ଥ ପାଇଁ ଏପରି ନାଟକ ବୋଲି ସାଧାରଣରେ ଆଲେଚନା ହେଉଛି। ପୂର୍ବରୁ ସଂପୃକ୍ତ ଏ.ବି.ଇ.ଓ.ଙ୍କ ନାମରେ ଦୁର୍ନିତି ଅଭିଯୋଗ ପାଇଁ ବିଭାଗ ପରିବର୍ତ୍ତନ କରାଯାଇଥିଲା ବୋଲି କୁହାଯାଉଛି।