ନିର୍ବାଚନକୁ ଯେତେ ପାଖେଇ ଆସୁଛି ରାଜନୈତିକ ଦଳମାନଙ୍କ ଭିତରେ ତତ୍ପରତା ପ୍ରକାଶ ପାଉଛି । ତେବେ ଭୋଟ୍ ହାତେଇବା ପାଇଁ ରାଜନୈତିକ ଦଳମାନେ ଏବେ ଷ୍ଟାର୍ ପାଓ୍ବାର୍କୁ ବେଶ୍ ଆପଣାଉଛନ୍ତି । କଂଗ୍ରେସ ବଲିଉଡ୍ ସେଲିବ୍ରିଟିଙ୍କୁ ଟିକେଟ ଦେଉଥିବାବେଳେ ବିଜେପି ମଧ୍ୟ କଳାକାର, ଖେଳାଳୀ ତଥା ପ୍ରତିଭାସମ୍ପନ୍ନ ବ୍ୟକ୍ତିବିଶେଷଙ୍କୁ ନିଜ ଦଳରେ ସାମିଲ୍ କରାଉଛି । ଭୋଜପୁରୀର ଲୋକପ୍ରିୟ ଅଭିନେତା ଦିନେଶ ଲାଲ ଯାଦବ (ନିରହୁଆ) ମଧ୍ୟ ବିଜେପିରେ ସାମିଲ୍ ହୋଇଛନ୍ତି । ୟୁପିର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପସ୍ଥିତିରେ ବିଜେପିର ସଦସ୍ୟତା ଲାଭ କରିଛନ୍ତି ନିରହୁଆ । ତେବେ ସେ ନିର୍ଦ୍ଦିଷ୍ଟ ଭାବରେ କେଉଁ ଆସନରୁ ନିର୍ବାଚନ ଲଢିବେ ସେନେଇ ସୂଚନା ମିଳିପାରିନଥିବାବେଳେ ସେ ଆଜମଗଡ଼ରୁ ଲଢିବେ ବୋଲି ଶୁଣାଯାଉଛି । ଏହି ଆସନରୁ ସପାର ଅଧ୍ୟକ୍ଷ ଅଖିଳେଶ ଯାଦବ ଲଢୁଛନ୍ତି । ସେହିପରି ଭୋଜପୁରୀ ଅଭିନେତା ରବି କିଶନଙ୍କୁ ମଧ୍ୟ ବିଜେପି ଲୋକସଭାରେ ପ୍ରାର୍ଥୀ କରାଇବାକୁ ନେଇ ସୂଚନା ରହିଛି । ରବି କିଶନଙ୍କୁ ଗୋରଖପୁରରୁ ଟିକେଟ ଦିଆଯାଇପାରେ । ୨୦୧୪ରେ ରବି କିଶନ କଂଗ୍ରେସରେ ମିଶି ୟୁପିର ଜୈନପୁରରୁ ନିର୍ବାଚନ ଲଢିଥିଲେ, କିନ୍ତୁ ହାରିଯାଇଥିଲେ । ୨୦୧୭ରେ କଂଗ୍ରେସ ହାତ ଛାଡ଼ି ବିଜେପିରେ ମିଶିଥିଲେ ରବି କିଶନ । ସେହିପରି ବିଜେପିର ନେତା ତଥା ଅଭିନେତା ମନୋଜ ତିଓ୍ବାରୀ ବିଜେପି ସାଂସଦ ରହିଥିବାବେଳେ ଏବେ ଦିଲ୍ଲୀର ବିଜେପି ଅଧ୍ୟକ୍ଷ ରୂପେ ଅବସ୍ଥାପିତ । ୨୦୧୪ରେ ମନୋଜ ଆପ୍ ପାର୍ଟିର ଆନନ୍ଦ କୁମାରଙ୍କୁ ୧ ଲକ୍ଷ ଭୋଟ୍ରେ ହରାଇଥିଲେ ।
ବିଜେପିରେ ସାମିଲ୍ ହେଲେ ନିରହୁଆ : ୟୁପିରେ ଦେଖାଇବ ଭୋଜପୁରୀ ଷ୍ଟାର୍ ପାଓ୍ବାର୍
Published:
Mar 27, 2019, 1:37 pm IST
Tags: