ପାଟନା, ବିହାର ରାଜଧାନୀ ପାଟନାର ଏକ ହସପିଟାଲରେ ଘଟିଛି ଅଜବ ଘଟଣା। ଜଣେ ରୋଗୀର କିଡନରୁ ପଥର କାଢିବା ପରିବର୍ତ୍ତେ ଡାକ୍ତର ପୁରା ଗୋଟିଏ କିଡନୀ କାଢିଦେଲେ। ରୋଗୀର ପରିବାର ସଦସ୍ୟ ଏହା ଜାଣିବା ପରେ ଡାକ୍ତରଖାନାରେ ଭଙ୍ଗାଋଜା ଆରମ୍ଭ କରିଦେଲେ। ତେବେ ଡାକ୍ତରଖାନା କର୍ତ୍ତୁପକ୍ଷ ଏଥିରେ ହସ୍ତକ୍ଷେପ କରି ରୋଗୀକୁ ଅନ୍ୟ ଏକ ହସପିଟାଲରେ ଅପରେସନ କରାଯିବ ବୋଲି ପ୍ରତିଶୃତି ଦେଲେ। ସେଥିପାଇଁ ଯାହା ଖର୍ଚ୍ଚ ହେବ ଡାକ୍ତରଖାନା ତରଫରୁ ଦିଆଯିବ ବୋଲି କୁହାଗଲା। ଏହାପରେ ପରିବାର ବର୍ଗ ଶାନ୍ତ ପଡିଥିଲେ।
ଏହି ଘଟଣାଟି ପାଟନାର କଂକଡାବାଗ ଥାନ ନିକଟସ୍ଥ ଏକ ହସପିଟାଲରେ ଘଟିଛି । ବେଣୁସରାଇ ଅଞ୍ଚଳର ଜଣେ 26 ବର୍ଷିୟ ଯୁବକଙ୍କ ପେଟରେ ଯନ୍ତ୍ରଣା ହେଲା। ଫଳରେ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ପେଟ ଭିତର ପରୀକ୍ଷା କରିବା ପରେ ଜଣପଡିଥିଲା ଯେ ତାଙ୍କର ବାଆଁ ପଟ କିଡନରେ ପଥର ଅଛି। ସେଥିପାଇଁ ଅପରେସନ କରିବାକୁ ପଡିବ। ରୋଗୀଙ୍କ ପରିବାର ସଦସ୍ୟଙ୍କ ଅନୁମତି ପରେ ତାଙ୍କର ଅପରେସନ କରାହେଲା। ହେଲେ ଡାକ୍ତର ବାଆଁ ପଟ କିଡନୀରୁ ପଥର କାଢିବା ପରିବର୍ତ୍ତେ ଡାହାଣପଟ କିଡନୀ କାଢି ଦେଲେ।
ତେବେ ପରେ ଡାକ୍ତର ଭୁଲ ଅପରେସନ କରିଛନ୍ତି ବୋଲି ଜାଣିପାରି ରୋଗୀର ଭାଇଙ୍କୁ ଏ କଥା ଜଣାଇଲେ। ସେ କହିଲେ ଯେ, କିଡନୀରୁ ପଥର କାଢିବା ବଦଳରେ କିଡନୀ ବାହାର କରିଦିଆ ଯାଇଛି। ଏହାପରେ ଡାକ୍ତରଖାନାରେ ହାଙ୍ଗାମା ଆରମ୍ଭ ହୋଇଯାଇଥିଲା। ପରେ ଡାକ୍ତରଖାନା କର୍ତ୍ତୁପକ୍ଷ ଅନ୍ୟ ଏକ ହସପିଟାଲରେ ଚିକିତ୍ସା କରାଇବା ଏବଂ ସମସ୍ତ ଖର୍ଚ୍ଚ ବହନ କରିବାକୁ ପ୍ରତିଶୃତି ଦେବା ପରେ ଘଟଣା ଶାନ୍ତ ପଡିଥିଲା।