ଭୁବନେଶ୍ବର : ବିଧାନସଭାରେ ଉପସ୍ଥାପିତ ହେଲା ରାଜ୍ୟ ଅତିରିକ୍ତ ବଜେଟ୍ 2020-2021। ବିରୋଧୀଙ୍କ ହୋ ହାଲ୍ଲା ଭିତରେ ଅତିରିକ୍ତ ବଜେଟ୍ ଉପସ୍ଥାପିତ ହୋଇଛି। 2020-2021 ପାଇଁ ମୋଟ 11ହଜାର 200 କୋଟିର ଅତିରିକ୍ତ ବଜେଟ୍ ଉପସ୍ଥାପିତ ହୋଇଛି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ୍ ଉପସ୍ଥାପନା କରିଛନ୍ତି। ତେବେ ବଜେଟ୍ ଉପସ୍ଥାପନା ପରେ ଗୃହ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବି ରହିବ।
ଅତିରିକ୍ତ ବଜେଟ୍ରେ ସ୍ବାସ୍ଥ୍ୟ, ପଞ୍ଚାୟତିରାଜ ବିଭାଗକୁ ଗୁରୁତ୍ବ ଦିଆଯାଇଛି । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ 1768.77 କୋଟିର ବ୍ୟୟବରାଦ ରହିଥିବାବେଳେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗକକୁ 2046.11କୋଟି ଟଙ୍କାର ବ୍ୟୟବରାଦ ରହିଛି । ସେହିପରି ଅର୍ଥ ବିଭାଗକୁ ସର୍ବାଧିକ 2363.04 କୋଟିର ବ୍ୟୟ ବରାଦ ରହିଛି । ବିପର୍ଯ୍ୟୟ ପରିଚାଳନା ପାଇଁ 1484.22 କୋଟି ଟଙ୍କାର ବ୍ୟୟ ବରାଦ ରହିଛି । ଖାଦ୍ୟ ଯୋଗାଣକୁ 1078. 30 କୋଟିର ବ୍ୟୟବରାଦ ରହିଛି । ଚଳିତ ଅତିରିକ୍ତ ବଜେଟ୍ରେ ଶକ୍ତିବିଭାଗକୁ 956.80 କୋଟି ଟଙ୍କାର ବ୍ୟୟ ବରାଦ ରହିଛି । ସ୍କୁଲ ଓ ଗଣଶିକ୍ଷା ବିଭାଗକୁ 456.50 କୋଟି ଟଙ୍କା ରହିଛି ।