
ପାଟନା : ଚଳିତ ବିହାର ନିର୍ବାଚନରେ ବିଜେପି ନିଜର ଦବ୍ଦବା ବଜାୟ ରଖି ବଡଭାଇର ଭୂମିକାରେ ଅବତୀର୍ଣ୍ଣ ହୋଇଥିବାବେଳେ ବାଚସ୍ପତି ପଦ ହାତେଇଛି । ତେବେ ବିହାର ରାଜ୍ୟସଭା ଆସନ ପାଇଁ ଏବେ ଅଙ୍କକଷା ଚାଲିଲାଣି ।ଏଲଜେପି ସାଂସଦ ରାମବିଳାଶ ପାଶଓ୍ବାନ୍ତଙ୍କ ଦେହାନ୍ତ ପରେ ଖାଲିପଡିଛି ରାଜ୍ୟସଭା ଆସନ । ଏହି ଆସନ ପାଇଁ ବିଜେପିରେ ଏକାଧିକ ପ୍ରତ୍ୟାଶୀ ରହିଥିବା ବେଳେ ପୂର୍ବତନ ବିହାର ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ସବୁଠୁ ଆଗରେ ରହିଛନ୍ତି। ଏହି ଆସନରୁ ରୀନା ପାଶ୍ୱଓ୍ବାନଙ୍କୁ ସାମିଲ କରିବା ପାଇଁ ଏଲଜେପି ପକ୍ଷରୁ ନରେନ୍ଦ୍ର ମୋଦିଙ୍କୁ ଚିଠି ମଧ୍ୟ ଲେଖାଯାଇଛି । କେନ୍ଦ୍ରରେ ସୁଶୀଲଙ୍କୁ କୌଣସି ଗୁରୁତ୍ୱପୂର୍ଣ୍ଣ ବିଭାଗ ପ୍ରଦାନ କରାଯିବ ତେଣୁ ବିହାର ମନ୍ତ୍ରୀମଣ୍ଡଳରେ ସୁଶୀଲଙ୍କୁ ସାମିଲ କରାଯାଇନଥିଲା ।
ସେହିପରି ବିଜେପିର ଆଉ ଜଣେ ଟାଣୁଆ ନେତା ଶାହାନୱାଜ ହୁସେନଙ୍କୁ ଏହି ପଦ ପ୍ରଦାନ କରାଯିବା ନେଇ ଚର୍ଚ୍ଚା ହେଉଛି । ପୂର୍ବତନ ସାଂସଦ ଶାହାନୱାଜ ଦୀର୍ଘ ଦିନ ଧରି କୌଣସି ପଦବୀରେ ରହିନାହାନ୍ତି । ତେଣୁ ଦଳୀୟ କର୍ତ୍ତୃପକ୍ଷ ଶାହାନୱାଜଙ୍କୁ ସଂସଦର ଉଚ୍ଚତମ କକ୍ଷକୁ ପଠାଇବାକୁ ଚାହିଁବେ । ତେବେ ବିଜେପିର ନେତାମାନେ ଏହାକୁ ନେଇ ସମ୍ପୂର୍ଣ୍ଣ ନୀରବତା ଅବଲମ୍ବନ କରିଛନ୍ତି । ତେବେ ଦେଖାଯାଉ, ବିହାର ରାଜ୍ୟସଭା ଆସନ ପାଇଁ ବିଜେପି କାହାକୁ ମନୋନୀତ କରୁଛି । (ଏଜେନ୍ସି)