ସୀତାରାମ ଅଗ୍ରଓ୍ବାଲ
ଟାଙ୍ଗୀ : ବର୍ତ୍ତମାନ ସାରା ରାଜ୍ୟରେ ଲକ ଡ଼ାଉନ ଉଠିଯାଇଛି। ପୂର୍ବରୁ ଲକ ଡ଼ାଉନର ସୁଯୋଗ ନେଇ ଚୋରା ମଦ ବେପାରୀମାନେ ଲୁଚିକି ଦେଶୀ ମଦ ବେପାର କରୁଥିବାବେଳେ ବର୍ତ୍ତମାନ ଖୁଲମଖୁଲା ବିକିବାକୁ ପଛାଉନାହାନ୍ତି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀରେ ଗତ କିଛି ଦିନ ହେଲା ଅବକାରୀ ଏବଂ ଚୋରା ଦେଶୀ ମଦ ବେପାରୀଙ୍କ ଭିତରେ ଛକାପଞ୍ଝା ଚାଲିଛି। ପ୍ରତିଦିନ କେହି ନା କେହି ଚୋରା ଦେଶୀମଦ ବେପାରୀ ଅବକାରୀ ବିଭାଗ ହାତରେ ଧରାପଡୁଥିବାବେଳେ ଗତକାଲି ରାତି ଏବଂ ଆଜି ସକାଳ ସୁଦ୍ଧା ଏକାସାଙ୍ଗରେ ଛଅ ଜଣ ଚୋରା ଦେଶୀ ମଦ ବେପାରୀ ଟାଙ୍ଗୀ ଅବକାରୀ ହାତରେ ଧରାପଡ଼ି ଗିରଫ ହେବାସହ ତାଙ୍କ ନିକଟରୁ ଜବତ ହୋଇଛି ବିପୁଳ ପରିମାଣର ଦେଶୀ ମଦ।
ସୂଚନା ମୁତାବକ ଗତକାଲି ରାତି ଏବଂ ଆଜି ସକାଳେ ଟାଙ୍ଗୀ ଅବକାରୀ ବିଭାଗ ଅଧିକାରିଣୀ ଶ୍ରୀମତୀ ନିନା ବେଉରାଙ୍କ ନେତୃତ୍ୱରେ ଏକ ଟିମ ଗଠନ ହୋଇ ଟାଙ୍ଗୀ ରେଞ୍ଜ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା । ସେଥିରେ ୬ ଜଣ ଚୋରା ଦେଶୀ ମଦବେପାରୀ ଗିରଫ ହୋଇଥିବା ସ୍ଥଳେ ତନ୍ମଧ୍ୟରୁ ଜଣେ ମହିଳା ବେପାରୀ ଅଛନ୍ତି । ଗିରଫ ବେପାରୀମାନେ ହେଲେ ଆନନ୍ଦ ବେହେରା, ଦିଲୀପ ସାହୁ, ବାବୁଲି ବେହେରା, ଲକ୍ଷ୍ମୀପ୍ରିୟା ସିଂ, ରସାନନ୍ଦ ସାମନ୍ତରାୟ ଏବଂ ରମେଶ ପଲାଇ । ସମସ୍ତଙ୍କଠୁ ୧୭୨ ଲିଟର ଦେଶୀ ମଦ ଜବତ କରିଛି ଅବକାରୀ ବିଭାଗ । ସମସ୍ତଙ୍କ ବିରୁଦ୍ଧରେ ଅବକାରୀ ଆଇନ ଅନୁଯାୟୀ କେସ ନମ୍ବର ୩୭, ୩୮, ୩୯, ୪୦, ୪୭ ଏବଂ ୪୮ରେ ମାମଲା ହୋଇ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଅବକାରୀ ଇନ୍ସପେକ୍ଟର ଶ୍ରୀମତୀ ବେଉରା ସୂଚନା ଦେଇଛନ୍ତି। ଉକ୍ତ ଚଢ଼ାଉରେ ବାଲୁଗାଁ ଅବକାରୀ ବିଭାଗ ଏସ.ଆଇ ମନୋଜ ବାରିକ ମଧ୍ୟ ସାମିଲ ଥିଲେ।