ଯାଜପୁର : ଚଳିତ ବର୍ଷ ଆରମ୍ଭରୁ ହିଁ କରୋନା ମହାମାରୀ ଯୋଗୁଁ ପ୍ରାୟ ସବୁ ପର୍ବ ପର୍ବାଣୀ ଫିକା ପଡିଛି । ଆବଦ୍ଧ ମଣ୍ଡପରେ ଦୁର୍ଗା ପୂଜା ଠାରୁ ନେଇ ଭକ୍ତ ବିହିନ ରଥଯାତ୍ରା ପର୍ଯ୍ୟନ୍ତ ସବୁଠି କରୋନାର ପ୍ରଭାବ ଦେଖିବାକୁ ମଳିଛି ।
ଆଗକୁ ଆସୁଛି କର୍ତ୍ତିକ ପୂର୍ଣ୍ଣିମା । ଆଉ ମାତ୍ର ଦୁଇ ଦିନ ପରେ ଡଙ୍ଗା ଭସାକୁ ଦୃଷ୍ଟିରେ ରଖି ଏବେ ଠାରୁ ଘାଟ ଓ ମନ୍ଦିର ମାନଙ୍କରେ କଟକଣା ଜାରି ହେଲାଣି । ଯାଜପୁର ଜିଲ୍ଲାର ବୈତରଣୀ ଏକ ପବିତ୍ର ନଦୀ ହୋଇଥିବାରୁ ଏହିଠାରେ ବୋଇତ ବନ୍ଦାଣ ଉତ୍ସବ ପାଳନ ହେବା ସହ ହଜାର ହଜାର ଲୋକ ଡଙ୍ଗା ଭସାଇବାକୁ ଭିଡ କରିଥାନ୍ତି। ଏଥିସହିତ ନଦୀ ଦୁଇ ପାର୍ଶ୍ୱରେ ଥିବା ବରାହ ମନ୍ଦିର ଓ ଜଗନ୍ନାଥ ମନ୍ଦିର ଏବଂ ନିକଟରେ ଥିବା ଆରାଧ୍ୟ ଦେବୀ ମା ବିରଜାଙ୍କ ମନ୍ଦିରରେ ମଧ୍ୟ ପ୍ରବଳ ଜନଗହଳି ହୋଇଥାଏ । ଯାଜପୁରର ବିଭନ୍ନ ମନ୍ଦିର ଓ ନଦୀ ଘାଟରେ 144 ଧାରା । ଆସନ୍ତାକାଲିଠୁ କାର୍ତ୍ତିକ ପୂର୍ଣ୍ଣିମା ଯାଏ ଲାଗିଲା 144 ଧାରା। କାର୍ତ୍ତିକ ପୂର୍ଣ୍ଣିମା ହେତୁ ଭିଡକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ବିରଜା ମନ୍ଦିର, ଜଗନ୍ନାଥ ମନ୍ଦିର, ଯାଜପୁରର ଦେବୀଗଡା ଘାଟ, ଦଶାଶ୍ୱମେଧ ଘାଟ ଓ ବରାହନାଥ ମନ୍ଦିରରେ 144 ଧାରା ଲାଗିଛି।